

ବଲାଙ୍ଗୀର, ୨୬ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ପଂଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୃତ କୁମାର ପଣ୍ଡା ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ।
ଏହି ଶିବିରରେ ମୋଟ ୧୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୫ଟି ଗୋଷ୍ଠୀଗତ ଏବଂ ୧୧ଟି ବ୍ୟକ୍ତିଗତ ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା। ସେଥିମଧ୍ୟରୁ ୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକର ନିୟମାନୁଯାୟୀ ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶିବିରରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଯାଂଚ ଓ ସମାଧାନ ପ୍ରକ୍ରିୟାରେ ସହଯୋଗ କରିଥିଲେ।
ଏହାସହ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କୁ ଆଧାର କରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ଭାବ୍ୟ ବାତ୍ୟା ଓ ଅବପାତ ପ୍ରଭାବରେ ଆସନ୍ତା ଅକ୍ଟୋବର ୨୭ରୁ ୨୯ ତାରିଖ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ତୀବ୍ରତା ଏବଂ ପ୍ରଭାବକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗକୁ ସଜାଗ ରହିବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ପାଣିପାଗର ପରିବର୍ତନ ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି। ଏଥିସହ ସତର୍କ ସୂଚନା ଓ ଆବଶ୍ୟକ ତଥ୍ୟ ତୁରନ୍ତ ଜନସାଧାରଣଙ୍କ ନିକଟରେ ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାର ସମସ୍ତ ବ୍ଲକ୍ରେ କଂଟ୍ରୋଲ୍ ରୁମ୍ ସ୍ଥାପନ କରି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଗ୍ରାମଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ପାଣିପାଗ ବିଭାଗର ସତର୍କ ସୂଚନା ଓ ପରିସ୍ଥିତିର ଗମ୍ଭୀରତାକୁ ଦେଖି ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ନିଷ୍ପତି ହୋଇଛି। ବିପଦସଙ୍କୁଳ ଅଂଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଜରୁରୀକାଳୀନ ସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ୨୪ ଘଣ୍ଟିଆ ସକ୍ରିୟ ରଖାଯାଇଛି। ବାତ୍ୟା ସମ୍ପର୍କିତ ଯେକୌଣସି ଜରୁରୀ ସୂଚନା ଓ ସହାୟତା ପାଇଁ ଜନସାଧାରଣ ଦୂରଭାଷା ସଂଖ୍ୟା ୯୪୩୮୭୭୬୩୯୪ ରେ ଯୋଗାଯୋଗ କରିପାରିବେ। ଆବଶ୍ୟକତା ଅନୁଯାୟୀ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ଟିମ୍ ବିପଦପ୍ରବଣ ଅଂଚଳରେ ମୁତୟନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ ରଖିବା ସହିତ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯଥାଶୀଘ୍ର ସ୍ଥାନାନ୍ତର କରିବା, ଜରୁରୀକାଳୀନ ଔଷଧ ଓ ସାପ କାମୁଡ଼ା ପାଇଁ ପର୍ଯ୍ୟାପ୍ତ ଆଂଟି-ଭେନମ୍ ମହଜୁଦ ରଖିବା ସହ ହସ୍ପିଟାଲଗୁଡ଼ିକରେ କଣ୍ଟ୍ରୋଲ୍ ରୁମ୍ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ଶ୍ରୀ ଇସଲୱାର ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟା ମୁକାବିଲାରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ତ୍ୱରିତ ନିଷ୍ପତି ଓ ଠିକ୍ ସମୟରେ ସୂଚନା ପ୍ରସାରଣ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି କରୁଥିବା ସେ କହିଛନ୍ତି। ଏଥିସହ ସରକାରୀ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବା ସହ ଆବଶ୍ୟକ ସମୟରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।
ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ତଥା ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ପବିତ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ