ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ : ସ୍କୁଲ-କଲେଜ ବନ୍ଦ, ମୁତୟନ ହେଲେ ଉଦ୍ଧାରକାରୀ ଦଳ
ମାଲକାନଗିରି, ୨୬ ଅକ୍ଟୋବର (ହି.ସ.)- ଆସୁଥିବା ସମ୍ଭାବ୍ୟ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଅର୍ଣ୍ଣବର ସଫଳ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମଗ୍ର ଜିଲ୍ଲା ପ୍ରଶା
ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ: ସ୍କୁଲ-କଲେଜ


ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ: ସ୍କୁଲ-କଲେଜ


ମାଲକାନଗିରି, ୨୬ ଅକ୍ଟୋବର (ହି.ସ.)- ଆସୁଥିବା ସମ୍ଭାବ୍ୟ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଅର୍ଣ୍ଣବର ସଫଳ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜନସାଧାରଣଙ୍କ ଜୀବନ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମଗ୍ର ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ପ୍ରତ୍ୟେକ ଗ୍ରାମରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଉଥିବା ବେଳେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।

ଏହି ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଆଜି ସୀମାନ୍ତ ଅଞ୍ଚଳ ମୋଟୁ ଗସ୍ତ କରି ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହା ସହିତ ସେ ମୋଟୁ, ଗିରକାନପଲ୍ଲୀ ଓ କନ୍ୟାଶ୍ରମ ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ବୁଲି ଦେଖିବା ସହ ସେଠାରେ ରହିବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି। ବିପତ୍ତି ସମୟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅକ୍ଟୋବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ ରହିବ। ସୁରକ୍ଷା ଦୃଷ୍ଟିରୁ ସହର ଓ ଗ୍ରାମାଞ୍ଚଳରେ ଥିବା ସମସ୍ତ ଅସ୍ଥାୟୀ ଟେଣ୍ଟ ଏବଂ ପାଣ୍ଡାଲଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବଣ୍ଡାଘାଟି ଖଇରପୁଟରୁ ମୁଦୁଲିପଡ଼ା ରାସ୍ତାରେ ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ଦଳ ସହ ଜିଲ୍ଲାର ବିଭିନ୍ନ ସଂବେଦନଶୀଳ ସ୍ଥାନରେ ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳକୁ ମୁତୟନ କରାଯାଇଛି। ସ୍ଥିତି ଉପରେ ପ୍ରତ୍ୟକ୍ଷ ଓ ନିରନ୍ତର ନଜର ରଖିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ଅଞ୍ଚଳର ସ୍ୱତନ୍ତ୍ର ଦାୟିତ୍ଵ ଦିଆଯାଇଛି, ଯେଉଁଥିରେ ମାଥିଲି ପାଇଁ ଉପ-ଜିଲ୍ଲାପାଳ, ମାଲକାନଗିରି ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ, କାଲିମେଳା ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଏବଂ ଚିତ୍ରକୋଣ୍ଡା ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦାୟିତ୍ଵ ସମ୍ଭାଳିବେ।

ଅନ୍ୟପକ୍ଷରେ, ବାତ୍ୟା ସମୟରେ ଗର୍ଭବତୀ ମାଆମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସେମାନଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ଚିକିତ୍ସାଳୟ କିମ୍ବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଏଥିପାଇଁ ଜିଲ୍ଲାରେ ମାଆ ଗୃହଗୁଡ଼ିକୁ ସକ୍ରିୟ କରାଯାଇ ସମନ୍ୱୟକାରୀମାନଙ୍କୁ ସଜାଗ ରଖାଯାଇଛି ।

ଏହି ଅବସରରେ ଜିଲ୍ଲାପାଳ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ବିଶେଷ ବାର୍ତ୍ତା ଦେଇ କହିଛନ୍ତି, ବାତ୍ୟା ଅର୍ଣ୍ଣବର ମୁକାବିଲା ଏବଂ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସଜାଗ ରହିଛି। ବିପଦ ସମୟରେ ଆଦୌ ଆତଙ୍କିତ ନହୋଇ ଧୈର୍ଯ୍ୟ ରଖନ୍ତୁ ଏବଂ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ନିଷ୍ଠାର ସହ ପାଳନ କରନ୍ତୁ। ଜିଲ୍ଲା ପ୍ରଶାସନ ସବୁ ସମୟରେ ଆପଣମାନଙ୍କ ସହ ରହିଛି ବୋଲି ଜିଲ୍ଲାପାଳ ବାର୍ତ୍ତା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande