
ଜୟପୁର, ୨୬ ଅକ୍ଟୋବର(ହି.ସ.) – ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୟପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜୟପୁର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ବ୍ଲକ୍ ଓ ତହସିଲ ପ୍ରଶାସନର ଏକ ମିଳିତ ଜରୁରୀକାଳୀନ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାତ୍ୟାର ସଫଳ ମୁକାବିଲା, ଜନସାଧାରଣଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ଏହି ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଛି। ଜୟପୁର ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚ୍ଚୀ ଜେନା ଏବଂ ଜିପିଡିଓ ସୁବାସ ଖିଲଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ କୃଷି, ବିଦ୍ୟୁତ, ଜଳଯୋଗାଣ, ଅଗ୍ନିଶମ, ଜଙ୍ଗଲ ଏବଂ ରାଜସ୍ୱ ବିଭାଗ ଭଳି ସମସ୍ତ ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ପୂର୍ବରୁ ଏବଂ ବାତ୍ୟା ପରବର୍ତୀ ପରିସ୍ଥିତିରେ ଲୋକଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ, ସେ ସମ୍ପର୍କରେ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ବଣ୍ଟନ କରାଯାଇଛି। ବୈଠକରେ ବିଶେଷ କରି ଘରଭଙ୍ଗା, ଫସଲ କ୍ଷୟକ୍ଷତି, ରାସ୍ତାଘାଟ ସଫେଇ, ପାନୀୟ ଜଳ ଏବଂ ବିଦ୍ୟୁତ ସେବା ପୁନରୁଦ୍ଧାର ଉପରେ ଗୁରୁତ୍ୱାରୋପ କରାଯାଇଛି। ବର୍ଷା ଓ ପବନ ଯୋଗୁଁ ଯଦି ଚାଷୀଙ୍କ ଫସଲ କିମ୍ବା ଲୋକଙ୍କ ଘରଦ୍ୱାର ନଷ୍ଟ ହୁଏ, ତେବେ ଆର.ଆଇ. ଏବଂ କୃଷି ଅଧିକାରୀମାନେ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ମିଳିପାରିବ। ଏହି ଅବସରରେ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ନିବେଦନ କରାଯାଇଛି। କୌଣସି ପ୍ରକାର କ୍ଷୟକ୍ଷତି ଘଟିଲେ ତୁରନ୍ତ ନିକଟସ୍ଥ ପଂଚାୟତ କାର୍ଯ୍ୟାଳୟ କିମ୍ବା ଆର.ଆଇ. ଅଫିସ ସହିତ ଯୋଗାଯୋଗ କରିବାକୁ ବିଡିଓ ଓ ତହସିଲଦାର ପରାମର୍ଶ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି