ଝାରସୁଗୁଡ଼ା ଜିଲ୍ଲାର ଯୁବକଯୁବତୀଙ୍କ ବୈଷୟିକ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶାସନର ପଦକ୍ଷେପ ; CIPET ବାଲେଶ୍ଵର ସହ ଏମଓୟୁ ସ୍ଵାକ୍ଷରିତ
Mou between district administration and cipet
ଝାରସୁଗୁଡ଼ା ଜିଲ୍ଲାର ଯୁବକଯୁବତୀଙ୍କ ବୈଷୟିକ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶାସନର ପଦକ୍ଷେପ ; CIPET ବାଲେଶ୍ଵର ସହ ଏମଓୟୁ ସ୍ଵାକ୍ଷରିତ


ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.) : ଝାରସୁଗୁଡ଼ା ଜିଲ୍ଲାର ଯୁବକଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ ତଥା ରୋଜଗାରକ୍ଷମ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଜିଲ୍ଲାର ଯୁବପିଢ଼ିଙ୍କୁ ବାଲେଶ୍ଵରସ୍ଥିତ ପ୍ରତିଷ୍ଠିତ 'ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି' (CIPET) ଠାରେ ଡିପ୍ଲୋମା ଏବଂ ପିଜି ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ସୁବିଧା ପ୍ରଦାନ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୁଝାମଣାପତ୍ର ବା ଏମଓୟୁ ସ୍ଵାକ୍ଷରିତ ହୋଇଯାଇଛି। ଏହି ସ୍ୱାକ୍ଷର କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସଙ୍ଗୀତା କୁମାରୀ ମେହେର, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସାମାଜିକ ତଥା ଜୀବିକା ପ୍ରବନ୍ଧକ ତୁଷାରକାନ୍ତ ମହନ୍ତ ଏବଂ ସିପେଟ୍ ବାଲେଶ୍ଵରର ବରିଷ୍ଠ ବୈଷୟିକ ଅଧିକାରୀ ଡ. ଇରଫାନ ଅହମ୍ମଦ ମୀର ପ୍ରମୁଖ ଉପସ୍ଥିତ ରହି ଚୁକ୍ତିପତ୍ର ଆଦାନପ୍ରଦାନ କରିଥିଲେ। ଏହି ଯୁଗ୍ମ ପଦକ୍ଷେପ ମାଧ୍ୟମରେ ଜିଲ୍ଲାର ଯୁବବର୍ଗଙ୍କ ମଧ୍ୟରେ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ପାଇବା ସହ ଶିଳ୍ପଭିତ୍ତିକ ଦକ୍ଷତା ବିକାଶ ହୋଇପାରିବ। ଏହା ଦ୍ୱାରା ଯୁବପିଢ଼ିଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହିତ ଆଗାମୀ ଦିନରେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ତଥା ଉନ୍ନତ ଜୀବିକା ନିର୍ବାହ ଦିଗରେ ଏକ ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande