
କେନ୍ଦୁଝର, ୨୬ ଅକ୍ଟୋବର(ହି.ସ.) – ଆସନ୍ତା ୩୧ ଅକ୍ଟୋବରରେ ପାଳିତ ହେବାକୁ ଥିବା ‘ରାଷ୍ଟ୍ରୀୟ ଏକତା ଦିବସ-୨୦୨୬’ ଉତ୍ସବ ନିମନ୍ତେ ଆଜି କେନ୍ଦୁଝର ଅଡିଟୋରିଅମ୍ଠାରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ନେହାଶିଷ ସାହୁ ଯୋଗଦେଇ ପ୍ରତିନିଧି ଦଳକୁ ଶୁଭକାମନା ଜଣାଇବା ସହ ଯାତ୍ରାର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସର ମୁଖ୍ୟ ବିଷୟବସ୍ତୁ ହେଉଛି ‘ନକ୍ସଲବାଦର ଅନ୍ତ’(ନକ୍ସଲ-ମୁକ୍ତ ଭାରତ) ଏବଂ ଦେଶର ସଶସ୍ତ୍ର ବାହିନୀର ବିଜୟ ଗାଥା ପାଳନ କରିବା। ଦୀର୍ଘ ଦଶନ୍ଧି ଧରି ନକ୍ସଲବାଦ ଦେଶ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଶାନ୍ତି, ନିରାପତା ଓ ବିକାଶର ପଥରେ ଏକ ବଡ଼ ପ୍ରତିବନ୍ଧକ ହୋଇ ରହିଥିଲା। ଗ୍ରାମାଂଚଳ ଓ ଜଙ୍ଗଲ ଆବୃତ ଅଂଚଳଗୁଡ଼ିକରେ ହିଂସା ଓ ଭୟର ବାତାବରଣ ସୃଷ୍ଟି କରି ଏହା ଆର୍ôଥକ, ସାମାଜିକ ଓ ଭିତିଭୂମି ବିକାଶକୁ ବାଧାପ୍ରାପ୍ତ କରୁଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳର ଜନସାଧାରଣ ଏବେ ଶାନ୍ତି, ସ୍ୱାଧୀନତା ଓ ଗୌରବର ସହ ଦେଶର ମୁଖ୍ୟ ବିକାଶ ଧାରାରେ ଅଂଶଗ୍ରହଣ କରିପାରିବେ।
କେନ୍ଦୁଝର ଅଡିଟୋରିଅମ୍ରୁ ୨ ଟି ବିଶେଷ ବସ୍ ଯୋଗେ ୪୫ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ଆଜି ରାତିରେ ସେମାନେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ରାତ୍ରିଯାପନ କରିବେ। ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜୁରାଟର ଏକତା ନଗର ଅଭିମୁଖେ ଯାତ୍ରା କରିବେ। ଗୁଜୁରାଟର ଏକତା ନଗରଠାରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଜିଲ୍ଲା ପ୍ରଶାସନ, କେନ୍ଦୁଝର ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା ସମସ୍ତ ପ୍ରତିନିଧିଙ୍କୁ ଯାତ୍ରାର ଶୁଭକାମନା ଜଣାଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଯାତ୍ରା ମାଧ୍ୟମରେ ଶାନ୍ତି ଓ ଏକତାର ବାର୍ତା ସାରା ଦେଶରେ ପହଂଚିପାରିବ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA