ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ତଥା ସାଧୁତାର ଶପଥ ପାଠ ଅନୁଷ୍ଠିତ
Oath taking at jharsuguda collector office
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ


ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.)- ଓଡ଼ିଶାର ମୁଖ୍ୟ ଶାସନ ସଚିବ ତଥା ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଡିଏମଏଫ ସମ୍ମିଳନୀ କକ୍ଷରେ ଏକ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନ ୧୧ଟା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଦେଶର ପ୍ରଗତି ପାଇଁ ଦୁର୍ନୀତି ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇଥିଲେ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଏବଂ ପିଡି (ଆର୍ ଆଣ୍ଡ ଆର୍) ଲଳିତ ସୋରେଙ୍ଗ ଉପସ୍ଥିତ ରହି ଅଧିକାରୀ ତଥା କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ କାଳରେ ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ରକ୍ଷା, ଲାଞ୍ଚ ନ ନେବା ଓ ନ ଦେବା, ସ୍ୱଚ୍ଛତାର ସହ ଦାୟିତ୍ୱ ନିର୍ବାହ କରିବା ଏବଂ ଜନସାଧାରଣଙ୍କ ହିତ ସାଧନ ଲାଗି ସମର୍ପିତ ରହିବାକୁ ପ୍ରତିଜ୍ଞା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ଉଦ୍ବୋଧନ ଦେଇ ଦୁର୍ନୀତି ମୁକ୍ତ କାର୍ଯ୍ୟଶୈଳୀ ଆପଣାଇବା ଏବଂ ନିଷ୍ଠାର ସହ ସରକାରୀ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରି ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିସହ ରବୀନ୍ଦ୍ର ନିଆଲ, ଜିଲ୍ଲା ସଞ୍ଚୟ ବିଭାଗର କର୍ମଚାରୀବୃନ୍ଦ, ହେମକାନ୍ତ ଏବଂ ଜଗନ୍ନାଥ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏଥିସହିତ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ତଥା ତହସିଲ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲା ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଡିଏସ୍ଆର୍ ସୁମନ ନାଏକ ନିଜ କାର୍ଯ୍ୟାଳୟ ପରିସରରେ ସମସ୍ତ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା, ନିଷ୍ଠା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ଜିଲ୍ଲାର ସମସ୍ତ ବିଭାଗରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande