
ସୁବର୍ଣପୁର, 26 ଅକ୍ଟୋବର (ହି.ସ.)
ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ସୁରକ୍ଷିତ ଶୈଶବ ଅଭିଯାନ, ଏକ ପାନ ଇଣ୍ଡିଆ ବିଦ୍ୟାଳୟ ସଚେତନତା ଅଭିଯାନ ଏବଂ ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ ୨୦୧୨ ଆରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଦେବାଶିଷ ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ ବିଷୟରେ ଆଲୋଚନା କରି ଉକ୍ତ ଆଇନ ଅଧୀନରେ ଆସୁଥିବା ଅପରାଧ ଏବଂ ଦଣ୍ଡ ଉପରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ । ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ ସୋନପୁର ସୁଶାନ୍ତ କୁମାର ନାୟକ ଯୋଗଦେଇ ପୋକ୍ସୋ ଆଇନରେ ବିଭିନ୍ନ ଧାରା ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟିର ସଦସ୍ୟ ଶ୍ରୀମତୀ ଅଞ୍ଜଳି ନେଗୀ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷିତ ସ୍ପର୍ଶ ଏବଂ ଅସୁରକ୍ଷିତ ସ୍ପର୍ଶ ତଥା ସତର୍କତାମୂଳକ ସଂକେତ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଆଇନ ସୁରକ୍ଷା ଅଧିକାରୀ ଭାସ୍କର ଦାଶ ଯୋଗ ଦେଇ ପୋକ୍ସୋ ଆଇନର ଅନ୍ୟାନ୍ୟ ଧାରା ବିଷୟରେ ବୁଝାଇଥିଲେ । ଏହି ସୁରକ୍ଷିତ ଶୈଶବ ଅଭିଯାନ ତା ୨୬.୧୦.୨୦୨୬ରୁ ୩୧.୧୦.୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଦ୍ୱାରା ଏକ ତ୍ୱରିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ କୃତ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ଶିଶୁ ସୁରକ୍ଷା ପାଇଁ ଶପଥ ପାଠ କରାଯାଇଥିଲା । ଯଦି କେହି ଏହାର ଶିକାର ହୁଅନ୍ତି ତା ହେଲେ NALSA ଟୋଲ ଫ୍ରି ନମ୍ବର ୧୫୧୦୦ ଏବଂ ଚାଇଲ୍ଡ ହେଲ୍ପଲାଇନ ୧୦୯୮ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । ଶେଷରେ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରିନ୍ସିପାଲ ଦିଗାନ୍ତ କୁମାର ମହାପାତ୍ର ଧନ୍ୟବାଦ ବକ୍ତବ୍ୟ ପ୍ରଦାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ