
ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.) - ଜାତୀୟ ରାଜପଥ-୪୯ରେ କୋଲାବିରା ଦେଇ ଖୋଲା ହାଇୱାରେ କାରଖାନାର ବର୍ଜ୍ୟ ଗୁଣ୍ଡ ପରିବହନ ଯୋଗୁଁ ସ୍ଥାନୀୟ ଅଂଚଳରେ ଧୂଳି ପ୍ରଦୂଷଣ ବଢ଼ିବା ସହ ଜନଅସନ୍ତୋଷ ତୀବ୍ର ହୋଇଛି। ଝାରସୁଗୁଡ଼ା ଜିଲ୍ଲାର ଏକ ବୃହତ୍ କାରଖାନାରୁ ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଅଂଚଳକୁ ୫୦ରୁ ଊର୍ଦ୍ଧ୍ୱ ଭାରୀଯାନରେ ବର୍ଜ୍ୟ ଗୁଣ୍ଡ ବେଆଇନ ଭାବେ ପରିବହନ କରାଯାଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ନିୟମ ଉଲ୍ଲଂଘନ କରି ଖୋଲା ଡାଲା ଥିବା ହାଇୱାରେ ବର୍ଜ୍ୟ ଗୁଣ୍ଡକୁ କେବଳ ପାଳ ଘୋଡ଼ାଇ ପରିବହନ କରାଯାଉଛି। ଫଳରେ ରାସ୍ତାରେ ଯିବା ସମୟରେ ବର୍ଜ୍ୟ ଗୁଣ୍ଡ ଖସିପଡ଼ି ବିଭିନ୍ନ ସ୍ଥାନରେ ଗଦା ହୋଇ ରହୁଛି। ଏହାସହ ପବନରେ ଗୁଣ୍ଡ ଉଡ଼ି ପରିବେଶକୁ ପ୍ରଦୂଷିତ କରିବା ସହ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି।
କୋଲାବିରା ନିକଟ ବଡ଼ବାହାଲ ଛକରେ ଏହି ସମସ୍ୟା ଅଧିକ ଗମ୍ଭୀର ହୋଇଛି। ସେଠାରେ ପ୍ରବୀର ପଟେଲଙ୍କ ଦୋକାନ ସମ୍ମୁଖରେ ବର୍ଜ୍ୟ ଗୁଣ୍ଡ ଗଦା ହୋଇ ରହୁଥିବାରୁ ପବନରେ ତାହା ଉଡ଼ି ଦୋକାନ ଭିତରକୁ ପଶୁଥିବା ସେ ଅଭିଯୋଗ କରିଛନ୍ତି। ଏଥିଯୋଗୁଁ ଦୋକାନରେ ବସିବା ଓ ବ୍ୟବସାୟ କରିବା କଷ୍ଟକର ହୋଇପଡ଼ିଛି।
ସୋମବାର ସକାଳେ ଅନ୍ୟ କୌଣସି ଉପାୟ ନପାଇ ପ୍ରବୀର ପଟେଲ ନିଜେ ପାଇପ୍ ଯୋଗେ ରାସ୍ତା ଉପରେ ପାଣି ସିଂଚନ କରି ବର୍ଜ୍ୟ ଗୁଣ୍ଡ ସଫା କରୁଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ପଡ଼ିଥିବା ବର୍ଜ୍ୟ ଗୁଣ୍ଡକୁ ନେଇ ଦୋକାନୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବର୍ଜ୍ୟ ପରିବହନ ସମୟରେ ନିୟମ ପାଳନ କରାଯାଉଛି କି ନାହିଁ, ତାହାର ଯାଂଚ ସହ ରାସ୍ତାରେ ପଡ଼ୁଥିବା ବର୍ଜ୍ୟ ଗୁଣ୍ଡ ସଫା କରିବା ଏବଂ ଧୂଳି ପ୍ରଦୂଷଣ ରୋକିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ବେଆଇନ ବର୍ଜ୍ୟ ପରିବହନ ତୁରନ୍ତ ବନ୍ଦ କରିବାକୁ ମଧ୍ୟ ଦାବି ହୋଇଛି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯିବ ବୋଲି ଅଂଚଳବାସୀ ଚେତାବନୀ ଦେଇଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ