
କେନ୍ଦ୍ରାପଡ଼ା, ୨୬ ଅକ୍ଟୋବର(ହି.ସ.) – ଆଜି ଭାରତର ଜାତୀୟ ସୁରକ୍ଷା, ତଥ୍ୟ ସାର୍ବଭୌମ୍ୟତା, ନାଗରିକଙ୍କ ଗୋପନୀୟତା ଓ ସ୍ୱଦେଶୀ ଟେଲିକମ ଶିଳ୍ପର ସ୍ୱାର୍ଥ ଦୃଷ୍ଟିରୁ ଆମେରିକାର ଷ୍ଟାରଲିଙ୍କ ସାଟେଲାଇଟ କମ୍ୟୁନିକେସନ୍ସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ଭାରତରେ ଉପଗ୍ରହ ଭିତିକ ଇଂଟରନେଟ ସେବା ପ୍ରଦାନ ଅନୁମତି ନଦେବା ପାଇଁ ସ୍ୱଦେଶୀ ଜାଗରଣ ମଂଚ କେନ୍ଦ୍ରାପଡ଼ା ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସହ ସଂଯୋଜକ ପ୍ରଭାତ କୁମାର ମହାନ୍ତିଙ୍କ ନେତୃତ୍ୱରେ ସ୍ୱାବଲମ୍ବୀ ଭାରତ ଅଭିଯାନର ଜିଲ୍ଲା ସମନ୍ୱୟକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ପୂର୍ଣ୍ଣକାଳୀକ ରଶ୍ମିରଞ୍ଜନ ସେଠୀ, ଜ୍ଞାନରଞ୍ଜନ ପ୍ରଧାନ, ଅଶ୍ୱିନୀ କୁମାର ବେହେରା, ଅନନ୍ତ ଗୋପାଳ ସାହୁ, ଜିତେନ୍ଦ୍ର ତ୍ରିପାଠୀ, ଜୀବନ ପ୍ରଦୀପ ଜେନା, ଲୋକନାଥ ଦାସ, ସସ୍ମିତା ସାହୁ ପ୍ରମୁଖ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ରଘୁରାମ ଆର୍. ଆୟରଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ। ସାମ୍ବାଦିକଙ୍କ ପ୍ରଶ୍ନରେ ଜିଲ୍ଲା ସମନ୍ୱୟକ ଅଭିମନ୍ୟୁ ଗୋଛାୟତ କହିଲେ ଯେ, ଆମେରିକାର ଆଲନ ମସ୍କଙ୍କ ଷ୍ଟାରଲିଙ୍କ କମ୍ପାନୀକୁ ଇଂଟରନେଟ ସେବା ଯୋଗାଇବା ଅନୁମତି ଦିଆଗଲେ ଦେଶର ଜାତୀୟ ସୁରକ୍ଷା ଓ ରଣନୈତିକ ସାର୍ବଭୌମ୍ୟତା ପ୍ରତି ସମ୍ଭାବ୍ୟ ବିପଦ ସହିତ ଭାରତୀୟ ନାଗରିକଙ୍କ ତଥ୍ୟର ସୁରକ୍ଷା ଓ ଗୋପନୀୟତା ପ୍ରଭାବିତ ହେବ। ଏଥିସହିତ ବିଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଦେଶର ରଣନୈତିକ ନିର୍ଭରଶୀଳତା ବୃଦ୍ଧି ହେବା ସହିତ ବିଦେଶୀ କମ୍ପାନୀର ମନମାନି ବଢ଼ିଯିବ। ବର୍ତମାନ ମଧ୍ୟ ଆମ ଦେଶରେ ଇଂଟରନେଟ ସେବାରେ କୌଣସି ଅସୁବିଧା ନଥିବା ସତ୍ୱେ ଯଦି ଷ୍ଟାରଲିଙ୍କକୁ ଦାୟିତ୍ୱ ଦିଆଯାଏ ତେବେ ସ୍ୱଦେଶୀ ଟେଲିକମ ଶିଳ୍ପ ଓ ଜନସାଧାରଣଙ୍କ ଦୀର୍ଘମିୟାଦୀ ସ୍ୱାର୍ଥରେ ଅନ୍ତରାୟ ସୃଷ୍ଟି ହେବ ବୋଲି ମତବ୍ୟକ୍ତ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି