
ମାଲକାନଗିରି, ୨୬ ଅକ୍ଟୋବର (ହି.ସ.)- ଲୋକାଭିମୁଖୀ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ମାଲକାନଗିରିର ଯୁବ ସାମ୍ବାଦିକ ରାମକୃଷ୍ଣ ଚୌଧୁରୀଙ୍କୁ ‘ଲୋକାଭିମୁଖୀ ସାମ୍ବାଦିକତାରେ ଆଜୀବନ ସାଧକ’ ସମ୍ମାନରେ ସମ୍ମାନିତ କରାଯାଇଛି। ଶନିବାର ଭୁବନେଶ୍ୱରସ୍ଥିତ ସୂଚନା ଓ ସଚେତନ ଟ୍ରଷ୍ଟର ଡିଜିଟାଲ୍ ମଞ୍ଚ ‘କହୁଛି ଓଡ଼ିଶା’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ଯୁବ ଲେଖକ ଓ ସ୍ରଷ୍ଟାମାନଙ୍କ ପ୍ରଶିକ୍ଷଣ ଓ କର୍ମଶାଳା’ରେ ତାଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା। ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ‘ଅର୍ଗାନାଇଜର’ର ମୁଖ୍ୟ ସମ୍ପାଦକ ପ୍ରଫୁଲ୍ଲ କେତକର ଓ ପଦ୍ମଶ୍ରୀ ମହେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଶ୍ରୀ ଚୌଧୁରୀ ନିଜ ସାମ୍ବାଦିକତା ମାଧ୍ୟମରେ ଗ୍ରାମୀଣ ବିକାଶ, ଦୁର୍ନୀତିର ପର୍ଦ୍ଦାଫାସ, ଦୁର୍ଗମ ଅଞ୍ଚଳରେ ସରକାରୀ ସହାୟତା, ଉଚ୍ଚଶିକ୍ଷା, କ୍ୟାରିୟର ପରାମର୍ଶ ଓ ମହିଳାଙ୍କ ସ୍ୱରୋଜଗାର ଭଳି ଜନହିତକର ପ୍ରସଙ୍ଗକୁ ଗୁରୁତ୍ୱ ଦେଇଆସୁଛନ୍ତି। ସିଏସ୍ଆଇଆର୍–ଆଇଏମ୍ଏମ୍ଟିର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ରାଜ୍ୟର ୩୧୪ଟି ବ୍ଲକ୍ ର ପ୍ରତିନିଧି ଯୋଗଦେଇଥିଲେ। ଡିଜିଟାଲ୍ ଗଣମାଧ୍ୟମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ତଥ୍ୟ ସଂଗ୍ରହ, ଲେଖନ ଓ ଉପସ୍ଥାପନା ଶୈଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ସମ୍ମାନ ଯୁବ ସାମ୍ବାଦିକଙ୍କୁ ଜନସ୍ୱାର୍ଥ ଓ ସାମାଜିକ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ