ଦୁଇ ମାସ ଧରି କୃଷି ପରାମର୍ଶ କେନ୍ଦ୍ରରେ ତାଲା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦୁଇଥର ଆକସ୍ମିକ ପରିଦର୍ଶନ
Surprise visit of district agricultural officer
ଦୁଇ ମାସ ଧରି କୃଷି ପରାମର୍ଶ କେନ୍ଦ୍ରରେ ତାଲା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦୁଇଥର ଆକସ୍ମିକ ପରିଦର୍ଶନ


ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.) - ଦୀର୍ଘ ଦୁଇ ମାସ ଧରି କୃଷି ଅଧିଦର୍ଶିକାଙ୍କ ନିୟମିତ ଅନୁପସ୍ଥିତି ଯୋଗୁଁ ଭିକମପାଲି ଗ୍ରାମ ପଂଚାୟତସ୍ଥିତ କୃଷି ପରାମର୍ଶ କେନ୍ଦ୍ରରେ ତାଲା ଝୁଲୁଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ସ୍ଥାନୀୟ ଚାଷୀମାନେ କୃଷି ସମ୍ପର୍କିତ ଆବଶ୍ୟକ ପରାମର୍ଶ ଓ ସରକାରୀ ସେବା ପାଇବାରୁ ବଂଚିତ ହେଉଛନ୍ତି। ଚାଷୀଙ୍କ ଲିଖିତ ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି. ଜୈନ ଦୁଇଥର ଆକସ୍ମିକ ପରିଦର୍ଶନ କରି କର୍ମଚାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଭିକମପାଲି ପଂଚାୟତରେ କାର୍ଯ୍ୟରତ କୃଷି ଅଧିଦର୍ଶିକା ନିୟମିତ କାର୍ଯ୍ୟାଳୟକୁ ଆସୁ ନଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏନେଇ ଗତ ୨ ତାରିଖରେ ସରପଂଚ, ସମିତି ସଭ୍ୟା ଓ ସ୍ଥାନୀୟ ଚାଷୀମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଶ୍ରୀ ଜୈନ ଗତ ୧୪ ତାରିଖରେ ଅତାବିରା ପଂଚାୟତର ଡୁମେରଢିପା ଏବଂ ୨୧ ତାରିଖରେ ଭିକମପାଲି କୃଷି ପରାମର୍ଶ କେନ୍ଦ୍ର ପରିଦର୍ଶନ କରିଥିଲେ। ଉଭୟ ଦିନ ସମ୍ପୃକ୍ତ କୃଷି ଅଧିଦର୍ଶିକା ଅନୁପସ୍ଥିତ ଥିବା ସେ ସୂଚନା ଦେଇଛନ୍ତି।

ପୂର୍ବରୁ ଭିକମପାଲିରେ କାର୍ଯ୍ୟରତ କୃଷି ଅଧିଦର୍ଶିକା ଗୋପିକା ନାଏକଙ୍କ ଗତ ଅଗଷ୍ଟ ମାସରେ ସୋନପୁର ଜିଲ୍ଲାର ତରଭା ବ୍ଲକକୁ ବଦଳି ହେବା ପରେ ପୂର୍ଣ୍ଣିମା ଛତ୍ରିଆ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଦାୟିତ୍ୱ ଗ୍ରହଣର ଦୁଇ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ସେ ନିୟମିତ କାର୍ଯ୍ୟାଳୟରେ ଉପସ୍ଥିତ ରହୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ବର୍ତମାନ ଖରିଫ ଧାନ ଓ ପନିପରିବା ଚାଷରେ ରୋଗପୋକ ନିୟନ୍ତ୍ରଣ, ଫସଲର ଯତ୍ନ ଏବଂ ଅମଳ ସମ୍ପର୍କିତ ପରାମର୍ଶ ଚାଷୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଏଭଳି ସମୟରେ କୃଷି ପରାମର୍ଶ କେନ୍ଦ୍ର ବନ୍ଦ ରହିବା ଚାଷୀଙ୍କ ଚିନ୍ତା ବଢ଼ାଇଛି। ତେଣୁ କୃଷି କର୍ମଚାରୀଙ୍କ ନିୟମିତ ଉପସ୍ଥିତି ସୁନିଶ୍ଚିତ କରିବା ସହ ଚାଷୀଙ୍କୁ ସମୟୋଚିତ ପରାମର୍ଶ ଓ ସରକାରୀ ସେବା ଯୋଗାଇ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି। ଏହି ଅଭିଯୋଗ ଉପରେ କୃଷି ବିଭାଗ କି ପଦକ୍ଷେପ ଗ୍ରହଣ କରୁଛି, ତାହାକୁ ଏବେ ଚାଷୀମାନେ ଅପେକ୍ଷା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande