ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ଅଧିକାରୀମାନଙ୍କୁ ସାଧୁତାର ଶପଥ ପାଠ
The Jharsuguda District Collector’s advice to officials on maintaining integrity
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ଅଧିକାରୀମାନଙ୍କୁ ସାଧୁତାର


ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ଆଜିଠାରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ' ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଆଜି ଲଇକେରା ଠାରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସମାପ୍ତ ହେବା ପରେ, ସେଠାରେ ଉପସ୍ଥିତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଲାଇକେରା ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗଙ୍କ ସମେତ ସମସ୍ତ ବ୍ଲକ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀମାନଙ୍କୁ ଜିଲ୍ଲାପାଳ ଚହ୍ୱାଣ ସାଧୁତା ଓ ଦୁର୍ନୀତି ନିବାରଣର ଶପଥ ପାଠ କରାଇଥିଲେ। ଦେଶର ବିକାଶ ପାଇଁ ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତା, ନିଷ୍ଠା ଓ ଦୁର୍ନୀତିମୁକ୍ତ ସେବା ପ୍ରଦାନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହିକ୍ରମରେ ଝାରସୁଗୁଡା ବ୍ଲକ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ବ୍ରଜରାଜନଗର ପୌରପାଳିକା, ବେଲପାହାଡ଼ ପୌରପାଳିକା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏବଂ ମେଗାଲିଫ୍ଟ ପ୍ରକଳ୍ପ ଡିଭିଜନ ସମେତ ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଅଧିକାରୀ ଓ କର୍ମଚାରୀମାନେ ଏକତ୍ରିତ ହୋଇ ସାଧୁତାର ସଂକଳ୍ପ ନେଇଥିଲେ। ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଏହି ସତର୍କତା ସଚେତନତା ଅଭିଯାନ ପାଳନ କରାଯିବ। ଏହି ସମୟ ମଧ୍ୟରେ ଜନସାଧାରଣ ତଥା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଦୁର୍ନୀତି ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା, ଶୋଭାଯାତ୍ରା ଓ ଆଲୋଚନା ଚକ୍ର ଭଳି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande