
ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା-କନକତୋରା ୪୯ ନଂ ଜାତୀୟ ରାଜପଥର କତରବଗା ବ୍ରିଜ୍ ନିକଟରେ ରାସ୍ତାର ଦୁରବସ୍ଥାକୁ ନେଇ ଜନ ଅସନ୍ତୋଷ ତୀବ୍ର ହୋଇଛି। ମରାମତି ଦାବିରେ ସ୍ଥାନୀୟ ଜନପ୍ରତିନିଧି ଓ ଲୋକେ ନିଜେ ରାସ୍ତା ମରାମତି କରିବାକୁ ଆଗେଇ ଆସିବା ପରେ ଶେଷରେ ଏନ୍ଏଚ୍ଏଆଇ କର୍ତୃପକ୍ଷ ଯଥାଶୀଘ୍ର କାମ ଆରମ୍ଭ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ଜନପ୍ରତିନିଧିମାନେ ନିଜ ଉଦ୍ୟମରେ ରାସ୍ତା ମରାମତି କରିବା ନିଷ୍ପତିରୁ ଓହରିଛନ୍ତି। ତେବେ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଅଂଚଳର ନିର୍ବାଚିତ ପ୍ରତିନିଧି ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଲାଗି ରହିଛି।
ଝାରସୁଗୁଡ଼ାରୁ ଛତିଶଗଡ଼ ସୀମାନ୍ତ କନକତୋରା ଛକ ପର୍ଯ୍ୟନ୍ତ ଯାଇଥିବା ଏହି ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଖରାପ ହୋଇପଡ଼ିଛି। ବିଶେଷକରି କତରବଗା ବ୍ରିଜ ଠାରୁ ଭିକମପାଲି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଦୟନୀୟ ହୋଇଥିବାରୁ ଯାତାୟାତରେ ନାନା ସମସ୍ୟା ଉପୁଜୁଛି। ଏଥିସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି।
ଏହି ରାସ୍ତାର ମରାମତି ପାଇଁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ସମୟୋଚିତ ପଦକ୍ଷେପ ନିଆଯାଇନଥିଲା। ଫଳରେ ଜନପ୍ରତିନିଧିମାନେ ନିଜେ ରାସ୍ତା ମରାମତି କରିବାକୁ ନିଷ୍ପତି ନେଇଥିଲେ। ଏନେଇ ଗତ ୨୧ ତାରିଖରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଙ୍ଗାଲି ଥାନାରେ ଦାବିପତ୍ର ଦାଖଲ କରିଥିଲେ। ଏଥିରେ ୨୪ ତାରିଖ ସୁଦ୍ଧା ଏନ୍ଏଚ୍ଏଆଇ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ନହେଲେ ୨୫ ତାରିଖରୁ ସେମାନେ ନିଜେ ରାସ୍ତା ମରାମତି କରିବେ ବୋଲି ଜଣାଇବା ସହ ପୁଲିସ ପ୍ରଶାସନର ସହଯୋଗ ଲୋଡ଼ିଥିଲେ।
ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଆରମ୍ଭ ନହେବାରୁ ରବିବାର ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ କତରବଗା ବ୍ରିଜ୍ ନିକଟରେ ରାସ୍ତା ମରାମତି ପାଇଁ ପ୍ରସ୍ତୁତ ହୋଇଥିଲେ। ଏଥିରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ଲଖନପୁର ବ୍ଲକ୍ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ଜାମଗାଁ ସରପଂଚ ଗୋପୀନାଥ ସାଏ, କତରବଗା ସରପଂଚ ସୁମିତ୍ରା ଖମାରୀ, ପଲସଦା ସରପଂଚ ତନୟା ଚାନ୍ଦଙ୍କ ସମେତ ଲବ ପ୍ରଧାନ, ଲୋକନାଥ ସାହୁ, ହେମଚନ୍ଦ୍ର ଖମାରୀ, ଆନନ୍ଦ ପ୍ରଧାନ ଓ ଦିଲ୍ଲୀପ ପଟେଲ ପ୍ରମୁଖ ସାମିଲ ହୋଇଥିଲେ।
ଏହି ସମୟରେ ଏନ୍ଏଚ୍ଏଆଇର କର୍ମଚାରୀମାନେ ସେଠାରେ ପହଂଚି ସୋମବାରଠାରୁ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଜନପ୍ରତିନିଧିମାନେ ନିଜେ ମରାମତି କରିବା ନିଷ୍ପତିରୁ ଓହରିଥିଲେ।
ତେବେ କେବଳ ଅସ୍ଥାୟୀ ମରାମତି ନୁହେଁ, ରାସ୍ତାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ ବୋଲି ଅଂଚଳବାସୀ ଦାବି କରିଛନ୍ତି। ଏନ୍ଏଚ୍ଏଆଇ ନିଜ ପ୍ରତିଶ୍ରୁତି ରକ୍ଷା କରି ନିର୍ଦ୍ଧାରିତ ସମୟରେ କାମ ଆରମ୍ଭ କରିବା ସହ ଯାତାୟାତକୁ ସୁରକ୍ଷିତ କରିବାକୁ ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ