
ଭୁବନେଶ୍ୱର, ୨୬ ଅକ୍ଟୋବର (ହି.ସ)- ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବକୁ ଦୃଷ୍ଟିରେ ରଖି ଖାଉଟି ମାନଙ୍କ ସୁବିଧା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବାକୁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଖାଉଟି ମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବା ବ୍ୟବସ୍ଥାର ସୁନିଶ୍ଚିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥସହ କଳାବଜାରୀ ତଥା ଅସାଧୁ ବ୍ୟବସାୟୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କୁ କୁହାଯାଇଛି ।
ମିଳିଥିବା ତଥ୍ୟ ଅନୁଯାୟୀ ବର୍ତମାନ ରାଜ୍ୟର ପ୍ରମୁଖ ବଜାର ଗୁଡିକରେ ବିଭିନ୍ନ କିସମର ଡାଲି, ଖାଇବା ତେଲ ,ଚିନି, ଆଳୁ ଓ ପିଆଜର ମୂଲ୍ୟ ଗତ ସପ୍ତାହ ତୁଳନାରେ ପ୍ରାୟତଃ ସ୍ଥିର ରହିଥିବା ବେଳେ ବିଭାଗର କ୍ଷେତ୍ର ଅଧିକାରୀ ମାନେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର କ୍ରୟ ଓ ବିକ୍ରୟ ମୂଲ୍ୟ ପ୍ରତ୍ୟହ ଯାଂଚ କରୁଛନ୍ତି । ସେହିପରି ସ୍ଥାନୀୟ ଉତ୍ପାଦିତ ପନିପରିବା ବଜାରକୁ ଆସିଲେ ପରିବା ମୂଲ୍ୟରେ ଆଗାମୀ ଦିନରେ ହ୍ରାସ ଘଟିବ ।
ଯଦି ଅତ୍ୟାବଶ୍ୟକ ସାମଗ୍ରୀର କାଳବଜାରୀ ତଥା ମୁନାଫାଖୋର କାର୍ଯ୍ୟ କୌଣସି ସ୍ଥାନରେ ପରିଲକ୍ଷିତ ହୁଏ ତେବେ ସ୍ଥାନୀୟ ମୁଖ୍ୟ ଯୋଗାଣ ଅଧିକାରୀ କିମ୍ବା ଯୋଗାଣ ଅଧିକାରୀଙ୍କ ନଜରକୁ ତୁରନ୍ତ ଆଣିବା ପାଇଁ ଜନ ସାଧାରଣ ମାନଙ୍କୁ ପରାମର୍ଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା