

ପୁରୀ, ୨୬ ଅକ୍ଟୋବର (ହି.ସ.) - ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ଅସାମାଜିକ ତତ୍ୱଙ୍କ ଦମନ ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଅପରେସନ୍ ‘ଚକ୍ର’ ଅଧୀନରେ ବ୍ୟାପକ ଚଢ଼ାଉ ଓ ଯାଂଚ କରାଯାଉଛି। ଏହି କ୍ରମରେ ଅକ୍ଟୋବର ମାସରେ ବିଭିନ୍ନ ଥାନା ପକ୍ଷରୁ ଜୁଆ କାରବାର, ଦାଦାବଟି ଆଦାୟ, ଡକାୟତି ଏବଂ ବେଆଇନ ଅସ୍ତ୍ର ରଖିବା ସମ୍ପର୍କିତ ମାମଲାରେ ଆଇନାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜୁଆ କାରବାର ସମ୍ପର୍କରେ ମୋଟ ୧୦ଟି ମାମଲା ରୁଜୁ କରାଯାଇ ୫୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ମାମଲାଗୁଡ଼ିକରେ ମୋଟ ୨,୫୬,୦୦୫ ଟଙ୍କା ନଗଦ ଅର୍ଥ ସମେତ ଜୁଆ ଖେଳରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।ସେହିପରି, ଦାଦାବଟି ଆଦାୟ ସମ୍ପର୍କିତ ୨୪ଟି ମାମଲା ରୁଜୁ କରାଯାଇ ୫୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର ଅଦାଲତକୁ ପ୍ରେରଣ କରାଯାଇଛି। ଡକାୟତି ସମ୍ପର୍କିତ ୪ଟି ମାମଲାରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର ଅଦାଲତକୁ ପ୍ରେରଣ କରାଯାଇଛି। ଅନ୍ୟପକ୍ଷରେ, ବେଆଇନ ଅସ୍ତ୍ର ରଖିବା ସମ୍ପର୍କିତ ମାମଲାରେ ସଦର ଥାନା ପକ୍ଷରୁ ଗୋଟିଏ ମାମଲା ରୁଜୁ କରାଯାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଏଭଳି ଅପରାଧ ବିରୋଧରେ ଚଢ଼ାଉ, ନିରୀକ୍ଷଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଅବ୍ୟାହତ ରହିବ।
ହିନ୍ଦୁସ୍ଥାନ ସମାଚାର / ବିଜୟ