
ଭୁବନେଶ୍ୱର, ୨୬ ଅକ୍ଟୋବର (ହି.ସ)-ସତର୍କତା ସଚେତନତା ସପ୍ତାହ–୨୦୨୬ ପାଳନ ଅବସରରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଡି. ସୁନିଲ ମଣ୍ଡଳର ଅଧିକାରୀ ଓ କର୍ମଚାରୀମାନଙ୍କୁ ସତର୍କତା ଶପଥ ପାଠ କରାଇଥିଲେ। ଏହି ଶପଥ ଗ୍ରହଣ ମାଧ୍ୟମରେ ରେଳ କର୍ମଚାରୀମାନେ ସଚ୍ଚୋଟତା, ସ୍ୱଚ୍ଛତା ଓ ଉତରଦାୟିତ୍ୱ ବଜାୟ ରଖିବା ସହ ଦେଶର ଆର୍ôଥକ, ରାଜନୈତିକ ଓ ସାମାଜିକ ପ୍ରଗତି ପାଇଁ ଦୁର୍ନୀତିର ମୂଳୋତ୍ପାଟନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।
ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଅବସରରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ରେଳ କର୍ମଚାରୀ ଓ ରେଳଯାତ୍ରୀମାନଙ୍କ ମଧ୍ୟରେ ସତର୍କତା, ସ୍ୱଚ୍ଛତା ଓ ନୈତିକ ଆଚରଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି।
ଏହି ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ରୋଡ଼ ସ୍ଥିତ ମିଶ୍ରିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା, ନାଗରିକ ଓ ଗ୍ରାହକମାନଙ୍କ ପାଇଁ ଅଭିଯୋଗ ସମାଧାନ ଶିବିର, ବିଷୟବସ୍ତୁ ଆଧାରିତ ଆଲୋଚନାଚକ୍ର, ନୁକ୍କଡ଼ ନାଟକ, ସ୍କାଉଟ୍ସ ଓ ଗାଇଡ୍ସଙ୍କ ଅଂଶଗ୍ରହଣରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସଚେତନତା ଶିବିର ଆୟୋଜନ କରାଯାଉଛି। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ନୈତିକ ମୂଲ୍ୟବୋଧର ପ୍ରସାର, ସ୍ୱଚ୍ଛତାର ସୁରକ୍ଷା ଓ ଦୁର୍ନୀତି ନିବାରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି କରାଯାଉଛି। ଏଥିସହ ଉତ୍ତରଦାୟୀ ସେବା ପ୍ରଦାନ ଓ ସ୍ୱଚ୍ଛ ପ୍ରଶାସନକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରାହକକୈନ୍ଦ୍ରିକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ବ୍ୟାନର, ପୋଷ୍ଟର ଓ କ୍ଷୁଦ୍ର ନାଟକ ମାଧ୍ୟମରେ ରେଳ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସତର୍କତା ସଚେତନତା ପ୍ରସାର କରାଯାଉଛି।
ଏହି ଶପଥ ଗ୍ରହଣ ସମାରୋହରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତିଭୂମି) ରାଜଧାରୀ ଯାଦବ, ବିଭିନ୍ନ ଶାଖାର ଅଧିକାରୀ, ବରିଷ୍ଠ ଅଧିକାରୀ ଓ ମଣ୍ଡଳର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନିଲ କହିଥିଲେ ଯେ, ସତର୍କତା କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦାୟିତ୍ୱ ନୁହେଁ, ବରଂ ଏହା ପ୍ରତ୍ୟେକ କର୍ମଚାରୀଙ୍କର ସାମୂହିକ ଦାୟିତ୍ୱ। ସରକାରୀ କାର୍ଯ୍ୟରେ ସର୍ବୋଚ୍ଚ ସ୍ତରର ସଚ୍ଚୋଟତା ବଜାୟ ରଖିବା, ପ୍ରତ୍ୟେକ ଦପ୍ତରୀୟ କାରବାରରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ଦୁର୍ନୀତିମୁକ୍ତ କାର୍ଯ୍ୟ ସଂସ୍କୃତି ଗଠନ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ସମଗ୍ର କାର୍ଯ୍ୟକ୍ରମଟି ମଣ୍ଡଳ କାର୍ମିକ ଅଧିକାରୀ ଅମରେନ୍ଦ୍ରନାଥ ମିଶ୍ରଙ୍କ ମାର୍ଗଦର୍ଶନରେ ସମନ୍ୱିତ ଭାବେ ପରିଚାଳିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା