ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୮ତମ ସିଏଟିସି ଉଦ୍ଯାପିତ
ଜୟପୁର, ୨୬ ଅକ୍ଟୋବର(ହି.ସ.) – ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ୧୮ତମ କମ୍ବାଇନ୍ଡ ଆନୁଆଲ୍ ଟ୍ରେନିଂ କ୍ୟାମ୍ପ ସିଏଟିସି ଉଦ୍ଯାପିତ ହୋଇଯାଇଛି। ୧୫ ଓଡ଼ିଶା ବାଟାଲିୟନ୍ ଏନ୍ସିସି, ଜୟପୁର ପକ୍ଷରୁ ଆୟୋଜିତ ଏହି ୧୦ ଦିନିଆ ଶିବିରର ଉଦ୍ଯାପନୀ ସମାରୋହରେ କୃତୀ କ୍ୟାଡେଟ୍ଙ୍କୁ
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୮ତମ ସିଏଟିସି ଉଦ୍ଯାପିତ


ଜୟପୁର, ୨୬ ଅକ୍ଟୋବର(ହି.ସ.) – ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ୧୮ତମ କମ୍ବାଇନ୍ଡ ଆନୁଆଲ୍ ଟ୍ରେନିଂ କ୍ୟାମ୍ପ ସିଏଟିସି ଉଦ୍ଯାପିତ ହୋଇଯାଇଛି। ୧୫ ଓଡ଼ିଶା ବାଟାଲିୟନ୍ ଏନ୍ସିସି, ଜୟପୁର ପକ୍ଷରୁ ଆୟୋଜିତ ଏହି ୧୦ ଦିନିଆ ଶିବିରର ଉଦ୍ଯାପନୀ ସମାରୋହରେ କୃତୀ କ୍ୟାଡେଟ୍ଙ୍କୁ ପଦକ ପ୍ରଦାନ କରାଯାଇଥିବା ବେଳେ କୋରାପୁଟିଆ ଢେମ୍ସା ନୃତ୍ୟ ସାଂସ୍କୃତିକ ଆକର୍ଷଣ ପାଲଟିଥିଲା। ସମାରୋହରେ ଜୟପୁର ଏସ୍ଡିପିଓ ଅର୍ଚ୍ଚିତା ମିତଲ, ଆଇନଜୀବୀ ବିଷ୍ଣୁ ପ୍ରସାଦ ପାତ୍ର, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ସ୍ନାତକୋତର ପରିଷଦ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପାତ୍ର ଓ ହାଇକୋର୍ଟର ଆଇନଜୀବୀ ନିଶାନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ।

ଶିବିରରେ କ୍ୟାଡେଟ୍ମାନଙ୍କୁ କେବଳ ସାମରିକ ଶୃଙ୍ଖଳା ନୁହେଁ, ବରଂ ଜୀବନର ବିଭିନ୍ନ ଆହ୍ୱାନର ସାମ୍ନା କରିବା ପାଇଁ ଆବଶ୍ୟକ ଦକ୍ଷତା ଓ ପ୍ରାୟୋଗିକ ଜ୍ଞାନ ପ୍ରଦାନ କରାଯାଇଥିଲା। ରାଇଫଲ୍ ଚାଳନା ଅଭ୍ୟାସ, ଫ୍ଲାଗ୍ ଏରିଆ, ବାଧା ଅତିକ୍ରମଣ ଅଭ୍ୟାସ, ବ୍ୟକ୍ତିତ୍ୱ ବିକାଶ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ବିପର୍ଯ୍ୟୟ ପରିଚାଳନା, ଅଗ୍ନି ନିର୍ବାପନ, ତମ୍ବୁ ସ୍ଥାପନ ଏବଂ ବ୍ୟାଙ୍କିଂ ସଚେତନତା ଭଳି ବିଷୟରେ ତାଲିମ ଦିଆଯାଇଥିଲା। ଏହାଦ୍ୱାରା କ୍ୟାଡେଟ୍ମାନେ ଆପତ୍କାଳୀନ ପରିସ୍ଥିତିର ମୁକାବିଲା ସହ ସାମାଜିକ ଦାୟିତ୍ୱ ନିର୍ବାହ ସମ୍ପର୍କରେ ଅନୁଭୂତି ହାସଲ କରିଥିଲେ। କ୍ୟାଡେଟ୍ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଶିବିରରେ ରଚନା ଲିଖନ, ବିତର୍କ, ଚିତ୍ରାଙ୍କନ ଓ ରାଇଫଲ୍ ଚାଳନା ଭଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ଅତିଥିମାନେ ବିଜୟୀ କ୍ୟାଡେଟ୍ମାନଙ୍କୁ ପଦକ ପ୍ରଦାନ କରିବା ସହ ସେମାନଙ୍କ ଦକ୍ଷତା ଓ ଉତ୍ସାହର ପ୍ରଶଂସା କରିଥିଲେ।

ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ, ଏନ୍ସିସି ଶିବିର ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ସେବା ମନୋଭାବ, ନେତୃତ୍ୱ ଦକ୍ଷତା ଓ ଦେଶପ୍ରେମର ଭାବନାକୁ ଦୃଢ଼ କରିଥାଏ। ଏହି ତାଲିମ ଯୁବକଯୁବତୀଙ୍କୁ ଆତ୍ମବିଶ୍ୱାସୀ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିତୋଳିବା ସହ ଭବିଷ୍ୟତର ଆହ୍ୱାନକୁ ସାହସର ସହ ମୁକାବିଲା କରିବାରେ ସହାୟକ ହେବ। ସମାରୋହର ଶେଷ ପର୍ଯ୍ୟାୟରେ କ୍ୟାଡେଟ୍ମାନଙ୍କ ପକ୍ଷରୁ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ ଉତ୍ସବକୁ ଆକର୍ଷଣୀୟ କରିଥିଲା। ଭାରତର ବିବିଧତା ମଧ୍ୟରେ ଏକତାର ବାର୍ତା ନେଇ ନୃତ୍ୟ ଓ ସଙ୍ଗୀତ ସହ କୋରାପୁଟିଆ ଢେମ୍ସା ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ଆଂଚଳିକ ପରମ୍ପରା ଓ ଭାରତୀୟ ସଂସ୍କୃତିର ବିବିଧତାକୁ ପ୍ରତିଫଳିତ କରିଥିଲା।

୧୫ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ଆୟୋଜିତ ଏହି ଶିବିର କ୍ୟାଡେଟ୍ମାନଙ୍କ ମଧ୍ୟରେ ଶାରୀରିକ ଦକ୍ଷତା, ମାନସିକ ଦୃଢ଼ତା, ଆତ୍ମନିର୍ଭରଶୀଳତା, ଦଳଗତ ମନୋଭାବ ଓ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande