


ବଲାଙ୍ଗୀର, ୨୭ ଅକ୍ଟୋବର(ହି.ସ.) – ବଲାଙ୍ଗୀର ସ୍ୱାଭିମାନ ମଂଚ ପ୍ରାକ୍ ସ୍ୱାଧୀନତା ସମୟରେ ଅର୍ଥାତ ୧୯୩୭ ମସିହାରେ ସ୍ଥାପିତ ଓଡ଼ିଶାର ସର୍ବ ପୁରାତନ ବଲାଙ୍ଗୀର ଆୟୁର୍ବେଦ ଫାର୍ମାସୀ ଆଜି ଜରାଜୀର୍ଣ ଅବସ୍ଥାରେ ନିଜର ସ୍ଥିତି ବଂଚାଇବାକୁ ସଂଘର୍ଷ କରୁଛି। ଗତକାଲି ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଓ ବାମଦେବ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଏକ ପ୍ରତିନିଧି ଦଳର ପରିଦର୍ଶନରୁ ଏହି ଦୁଃଖଦ ସ୍ଥିତି ଜଣାପଡ଼ିଛି। ଦିନ ଥିଲା ଏହି ଫାର୍ମାସୀରୁ ୯୪ ପ୍ରକାରର ମେଡିସିନ୍ ପ୍ରସ୍ତୁତ ହୋଇ ସାରା ଓଡ଼ିଶାକୁ ଯୋଗା ଯାଉଥିଲା। ୬୨ ଜଣ କର୍ମଚାରୀଙ୍କ ଅକ୍ଳାନ୍ତ, ନିଷ୍ଠାପର ଉଦ୍ୟମରେ ତଥା ତଦାନିନ୍ତନ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଅତି ଉନ୍ନତ ମାନର ଔଷଧ ପ୍ରସ୍ତୁତିରେ ଏହା ସାରା ଓଡ଼ିଶାରେ ନାଁ କରିଥିଲା। ଧୀରେ ଧୀରେ ଏହି ସଂଖ୍ୟା ୪୨ ଏବଂ ଏବେ ଦୁଇଜଣ ମାତ୍ର କର୍ମଚାରୀଙ୍କୁ ନେଇ ମାତ୍ର ୪ଟି ଚୁର୍ଣ୍ଣ, ଗୋଟିଏ ମଲମ ଏବଂ ଗୋଟିଏ ତୈଳ ପ୍ରସ୍ତୁତି କରି ନାମକୁ ମାତ୍ର ନିଜକୁ ବଂଚାଇ ରଖିଛି। ଦିନ ଥିଲା ହରିଶଙ୍କର ଓ ନୃସିଂହନାଥରୁ ସଂଗୃହୀତ କଂଚାମାଲରେ ଔଷଧ ପ୍ରସ୍ତୁତ ହେଉଥିଲା କିନ୍ତୁ ଆଜି କଂଚାମାଲ ପାଇଁ ଏବଂ ଔଷଧର ମାନ ଓ ଗୁଣବତା ନିର୍ଦ୍ଧାରଣ ନିମନ୍ତେ ଭୂବନେଶ୍ୱର ଉପରେ ନିର୍ଭର କରିବାକୁ ପଡ଼ୁଛି। ଜଙ୍ଗଲ ବିଭାଗରୁ କାଠ ମିଳିଲେ ଯାଇ କାମ ଆରମ୍ଭ କରିବାକୁ ପଡ଼ୁଛି। ସେ ସମୟର ଶହଶହ ମେସିନ ଅକାମୀ ହୋଇ ଖତ ଖାଉଛି। ଔଷଧ ତିଆରିରେ ଆଜିକାଲି ଅନେକ ନୂତନ କୌଶଳ ବାହାରି ଥିଲେ ହେଁ ଏଠି କିଛି ନାହିଁ। ଔଷଧକୁ ପ୍ୟାକେଜିଂ କରିବା ପାଇଁ ମେସିନ୍ ନଥିବାରୁ ହାତରେ କରିବା ପାଇଁ ଲୋକବଳର ଅଭାବ ତ ରହୁଛି, ତା’ ସହିତ ଏହା ସମୟ ସାପେକ୍ଷ ହୋଇଥିବାରୁ କେହି ଲୋକ କାମ କରିବାକୁ ରାଜି ହେଉନାହାନ୍ତି। ରାତ୍ରୀ ଜଗୁଆଳୀ ନଥିବାରୁ ଅଧିକାଂଶ ସମୟରେ ଏଠାରୁ ଚୋରୀ ହେଉଛି। ବର୍ତମାନ ଜଣେ ସୁପରିଂଟେଣ୍ଡେଂଟ, ଜଣେ ମେଡିକାଲ ଅଫିସର ଓ ଦୁଇଜଣ ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ଏହି ସଂସ୍ଥା ଚାଲିଛି। ବିରାଟ ସମ୍ମିଳନୀ କକ୍ଷ, ଲାଇବ୍ରେରୀ, ପ୍ରତ୍ୟେକ ବିଭାଗ ପାଇଁ ଉଦ୍ଧିଷ୍ଟ ସ୍ୱତନ୍ତ୍ର କକ୍ଷ ଆଜି ଖାଁ ଖାଁ ଲାଗୁଛି। ମୁଖ୍ୟ କୋଠାକୁ ପୂର୍ତ ବିଭାଗ ଅସୁରକ୍ଷିତ ଘୋଷଣା କରିବାରୁ ତାକୁ ଖୁବ୍ ଶୀଘ୍ର ଭାଙ୍ଗି ଦିଆଯିବ। ବିନା ଫାର୍ମାସିଷ୍ଟରେ ଅ।।ଜିପର୍ଯ୍ୟନ୍ତ ବଂଚି ରହିଥିବା ଫାର୍ମାସୀକୁ ଜୀବନ୍ୟାସ ଦେଲେ କେବଳ ଯେ ଜନସାଧାରଣ ଉପକୃତ ହେବେ ତା’ ନୁହଁ ବରଂ ସିଧାସଳଖ ଭାବେ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ବ୍ୟବହାରିକ ଜ୍ଞାନ କୌଶଳରେ ନିଜକୁ ଅଧିକ ସମୃଦ୍ଧ କରି ପାରନ୍ତେ। ସଦସ୍ୟମାନଙ୍କ ପରବର୍ତୀ ପରିଦର୍ଶନ ସ୍ଥଳ ନିର୍ମାଣାଧୀନ ଜିଲ୍ଲା ମୁଖ୍ୟ ପ୍ରେକ୍ଷାଳୟ ଥିଲା। ୨୦୨୩ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ ୮ କୋଟି ଟଙ୍କା ଅନୁଦାନରେ ଏହାର କାର୍ଯ୍ୟାରମ୍ଭ ହୋଇଥିଲା। ବିଲ୍ଡିଂ କାମ ଆଉ ଦୁଇ ତିନି ମାସରେ ସରିବାକୁ ଥିଲେ ହେଁ ଆଭ୍ୟନ୍ତରୀଣ ସୌନ୍ଦର୍ଯୀକରଣ ତଥା ଆଲୋକ ଏବଂ ଶବ୍ଦ ବ୍ୟବସ୍ଥା ପାଇଁ ଆହୁରି କିଛି ସମୟ ଲାଗିପାରେ ବୋଲି ଦାୟିତ୍ୱରେ ଥିବା ଜେଇ ପ୍ରକାଶ କରିଥିଲେ। ଏତେ ବିରାଟ ପ୍ରେକ୍ଷାଳୟରେ ମାତ୍ର ୫୦୦ ଜଣଙ୍କ ବସିବା ପାଇଁ ବ୍ୟବସ୍ଥା ରହିଥିବାରୁ ମଂଚ ଅସନ୍ତୋଷ ବ୍ୟକ୍ତ କରିଥିଲା। ଏଥିପାଇଁ କର୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଏବଂ ଖାମଖିଆଲି ମନୋଭାବକୁ ଦାୟୀ କରା ଯାଇଥିଲା। ଏହାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କର୍ତୃପକ୍ଷଙ୍କୁ ଅନୁରୋଧ କରା ଯାଇଥିଲା। ୩ୟ ପର୍ଯ୍ୟାୟରେ ମଂଚର ସଦସ୍ୟମାନେ ଜିଲ୍ଲା ପର୍ଯ୍ୟଟନ ଅଫିସ ପରିଦର୍ଶନ କରି ସେଠାରେ ଚିରାଚରିତ ଭାବେ ଷ୍ଟାଫ୍ ନଥିବା କଥା ଜାଣିବାକୁ ପାଇଥିଲେ। ଜଣେ ଅଫିସର ଓ ଦୁଇଜଣ ଅଫିସ କର୍ମଚାରୀଙ୍କୁ ନେଇ ସଂସ୍ଥା ବର୍ତମାନ ଚାଲୁଥିବାବେଳେ ଆଗାମୀ କିଛି ମାସ ମଧ୍ୟରେ ଅନ୍ୟ ଜଣେ କର୍ମୀ ରିଟାୟାର୍ଡ ହୋଇଗଲେ ସଂସ୍ଥା କିପରି ଚାଲିବ ସେଥିନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ଆଲୋଚନା ସମୟରେ ଆଠଗାଁର ସ୍ୱାଧୀନତା ସଂଗ୍ରାମୀ ଧରମ ସିଂ ମାନଧାତା ମାଝୀଙ୍କ ଜନ୍ମସ୍ଥାନ, ସୁର୍ଡା ଏବଂ କଗାଁର ଶିବ ମନ୍ଦିର, ଭୀମ ଡୁଙ୍ଗୁରୀ ପାହାଡ଼ ଓ ଲୋୟର୍ ସୁକତେଲ ପାଶ୍ୱର୍ବର୍ତୀ ଅଂଚଳକୁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନୀତ କରିବାକୁ ଦାବି କରାଯାଇଥିଲା। ହରିଶଙ୍କର ଓ ରାଣୀପୁର ଝରିଆଲକୁ ଅଧିକ ପର୍ଯ୍ୟଟକଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ସରକାରଙ୍କ ପରାମର୍ଶ ଦିଆଯାଇଥିଲା। ଏହି ପରିଦର୍ଶନରେ ସର୍ବଶ୍ରୀ ଭକ୍ତବନ୍ଧୁ ଜୋଷୀ, ଡ. ପ୍ରଶାନ୍ତ ପ୍ରଧାନ, ଉମାକାନ୍ତ ସାହୁ, ଜ୍ୟେ।।ତିରାଜ ନାଗ, ତ୍ରିଲୋଚନ ମହାପାତ୍ର, ଚିତରଞ୍ଜନ ପୁରୋହିତ ପ୍ରମୁଖ ସାମିଲ ହୋଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ