
ଭୁବନେଶ୍ବର , 27 ଅକ୍ଟୋବର (ହି.ସ.) -
କୋଟିଆ ସୀମା ବିବାଦକୁ ନେଇ ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରରେ ବିଜେପି ସରକାର ଥିବା ସତ୍ତ୍ୱେ କୋଟିଆ ସମସ୍ୟାର ସମାଧାନ ନ ହେବା ଓଡ଼ିଶା ପାଇଁ ଅପମାନଜନକ ବୋଲି ଦଳ ଅଭିଯୋଗ କରିଛି। ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟ ସରକାର ନିରବ ରହିଥିବା ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ତଥା ଉପସଭାପତି ଡ. ଅରୁଣ କୁମାର ସାହୁ ଏବଂ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ପ୍ରଦୀପ ମାଝୀ ସରକାରଙ୍କୁ ସମାଲୋଚନା କରିଥିଲେ।
ଡ. ସାହୁ କହିଥିଲେ, ଗତ ଅଢ଼େଇ ବର୍ଷ ମଧ୍ୟରେ କୋଟିଆ ସମସ୍ୟାର ସମାଧାନ ପରିବର୍ତ୍ତେ ଏହା ଅଧିକ ଜଟିଳ ହୋଇଛି। ଅକ୍ଟୋବର ୧୦ରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ଏହାକୁ ରୋକିବା ପାଇଁ ଓଡ଼ିଶା ସରକାର ଯଥେଷ୍ଟ ପଦକ୍ଷେପ ନେଇନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଅକ୍ଟୋବର ୧୯ରେ ନବୀନ ପଟ୍ଟନାୟକ କୋଟିଆର ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଥିବା ଏବଂ ପରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ସମ୍ପର୍କିତ ମାମଲା ଦାୟର ହୋଇଥିବା ସେ ଉଲ୍ଲେଖ କରିଥିଲେ।
ପ୍ରଦୀପ ମାଝୀ କହିଥିଲେ, କୋଟିଆରେ ଆନ୍ଧ୍ର ସରକାର ଚାରିଟି ପଞ୍ଚାୟତ ଗଠନ କରିବା ସହ ନିର୍ବାଚନ ପାଇଁ ବୁଥ୍ ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ, କୋଟିଆର ଆଦିବାସୀ ଲୋକଙ୍କ ସମସ୍ୟାର ସମାଧାନ ଓ ଉନ୍ନତି ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଗତ ଚାରି ମାସ ହେଲା ଲୋକେ ଭତ୍ତା ପାଇନଥିବା ମଧ୍ୟ ସେ କହିଥିଲେ।
କୋଟିଆ ପ୍ରସଙ୍ଗରେ ବିଜେଡି ନିରବ ରହିବ ନାହିଁ । ଦଳର ସାଂସଦ, ବିଧାୟକ ଓ ଅନ୍ୟ କର୍ମକର୍ତ୍ତାମାନେ କୋଟିଆ ଗସ୍ତ କରି ନେରେଡି ଭାଲସାରେ ଆନ୍ଦୋଳନ କରିବେ। ଓଡ଼ିଶାର ସ୍ୱାର୍ଥ ଓ କୋଟିଆର ସୁରକ୍ଷା ପାଇଁ ବିଜେଡି ଜୋରଦାର ଲଢ଼େଇ କରିବ ବୋଲି ପ୍ରଦୀପ ମାଝୀ ଚେତାବନୀ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା