
• ପରିମଳ ଟେଣ୍ଡରକୁ ନେଇ ଧାରଣା ଦେଲେ କର୍ପୋରେଟର
• ୩୭ ନମ୍ବର ଓ୍ୱାର୍ଡ କର୍ପୋରେଟର ବନ୍ଦିତା ପାଲଙ୍କୁ ବୈଠକରୁ ସସ୍ପେଣ୍ଡ କଲେ ମେୟର
ଭୁବନେଶ୍ୱର , 27 ଅକ୍ଟୋବର (ହି.ସ.)
ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ୪୫ ତମ ସାଧାରଣ ବୈଠକ ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଏମ୍ ସି କମିଶନର ଚଞ୍ଚଳ ରାଣା, ଡେପୁଟି ମେୟର ମଂଜୁଲତା କହଁର, ଅତିରିକ୍ତ କମିଶନର ଶ୍ରୀମତୀ ସସ୍ମିତା ସାହୁ, କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା, ସିଟି ଇଂଜିନିୟର ପ୍ରଫୁଲ୍ଲ କୁମାର ରଇତ ପ୍ରମୁଖ ମଂଚାସୀନ ଥିଲେ । ଏହି ବୈଠକରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା, ଅଧ୍ୟକ୍ଷ, କର୍ପୋରେଟର ବୃନ୍ଦ, ବିଏମ୍ ସିର ସମସ୍ତ ଅଧିକାରୀ, ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ ।
ବୈଠକରେ କର୍ପୋରେଟର 4 ନମ୍ବର ଓ୍ୱାର୍ଡ ସୁକୁମାର ସାହୁଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଡେପୁଟି ମେୟରଙ୍କ ଅଭିଭାଷଣ ପରେ 10 ନମ୍ବର ଓ୍ୱାର୍ଡର ଏକ ରାସ୍ତା ଉଦ୍ଘାଟନ ସମୟରେ ସ୍ଥାନୀୟ କର୍ପୋରେଟରଙ୍କ ସମେତ ମେୟରଙ୍କୁ ନ ଡାକିବା ଏକ ଅବମାନନା ବୋଲି କହିବା ସହ କର୍ପୋରେଟରମାନେ ଏହାର ସମାଧାନ ପାଇଁ ଅଡିବସିଥିଲେ । ସେହି ରାସ୍ତାକୁ ଆଉଥରେ ବିଏମ୍ ସି ପକ୍ଷରୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପାଇଁ କର୍ପୋରେଟରମାନେ ଦାବିକରିଥିଲେ । ପୁନଃ ଉଦଘାଟନ କରିବାକୁ ମେୟର ପ୍ରତିଶୃତି ଦେବାପରେ କର୍ପୋରେଟରମାନେ ନିଜ ନିଜ ଆସନରେ ବସିଥିଲେ ।
ପ୍ରଶ୍ନକାଳ ନଥିବା ସତ୍ତ୍ୱେ, ୩୭ ନମ୍ବର ଓ୍ୱାର୍ଡ କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ୍ ଗୃହର କାର୍ଯ୍ୟକ୍ରମକୁ ନିଜ ମୋବାଇଲରେ ଲାଇଭ କରିଥିଲେ । ବିଭିନ୍ନ ପ୍ରଶ୍ନ ମେୟର ଓ କମିଶନରଙ୍କୁ ପଚାରିବା ସହ ତାର ସିଧା ପ୍ରସାରଣ କରିଚାଲିଥିଲେ । ଏହା ନିୟମ ବିରୋଧ ହୋଇଥିବାରୁ ମେୟର, କମିଶନର ଏବଂ ସବୁ କର୍ପୋରେଟର ଲାଇଭ ନ କରିବା ପାଇଁ ବାରଣ କରିଥିଲେ । ସେ କାହାରିକୁ ଖାତିର ନ କରି ସିଧା ପ୍ରସାରଣ କରୁଥିବାରୁ କର୍ପୋରେଟରମାନେ କକ୍ଷତ୍ୟାଗ କରିବା ପାଇଁ ବାହାରି ଥିଲେ । ମାତ୍ର ମେୟର ଶ୍ରୀମତୀ ଦାସ ପରିସ୍ଥିତିକୁ ସମ୍ଭାଳିବା ସହ, ଗୃହର ଅମର୍ଯ୍ୟାଦା କରିବା ଏବଂ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବାରୁ ଶ୍ରୀମତୀ ପାଲଙ୍କୁ ମ୍ୟୁନିସପାଲ ଆଇନ ୧୧୪ , ସେକ୍ସନ ୫ ବଳରେ ଗୃହରୁ ସସ୍ପେଣ୍ଡ କରିଥିଲେ । ପରେ କର୍ପୋରେଟରମାନେ ନିଜ ନିଜ ଆସନରେ ବସିଥିଲେ ।
ତେବେ ଏଜେଣ୍ଡା ଅନୁଯାୟୀ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ, ସହରରେ ବିଦ୍ୟୁତ୍ ଆଲୋକ ଓ ପରିମଳ ବ୍ୟବସ୍ଥାକୁ ନେଇ କର୍ପୋରେଟରମାନେ ପାଟିତୁଣ୍ଡ କରିଥିଲେ । ପରିମଳ କାର୍ଯ୍ୟ ତୁଲାଇବା ପାଇଁ ନୂତନ ଏଜେନ୍ସି ନିୟୋଜନ ନିମନ୍ତେ ଟେଣ୍ଡର ହୋଇଥିଲା । ସେହି ଟେଣ୍ଡର ଅନୁଯାୟୀ ନୂଆ ଏଜେନ୍ସିଙ୍କୁ କାହିଁକି ନିୟୋଜିତ କରାଯାଇ ନାହିଁ ବୋଲି କର୍ପୋରେଟରମାନେ ପ୍ରଶ୍ନ କରିଥିଲେ । ତେବେ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ସହ ଏଜେନ୍ସି ଚୟନ ମଧ୍ୟ ହୋଇସାରିଛି । ସରକାରଙ୍କର ଅନୁମୋଦନ ନିମନ୍ତେ ତାହା ପ୍ରେରଣ କରାଯାଇଛି । ସରକାରୀ ଅନୁମୋଦନ ଲାଭ କରିବା ପରେ ତାହା କାର୍ଯ୍ୟକାରୀ ହେବ ବୋଲି କମିଶନ କହିଥିଲେ । ଏହାକୁ ନେଇ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିବା ସହ ପୋଡିୟମ ନିକଟରେ ଧାରଣାରେ ବସିଥିଲେ । ତେବେ ମେୟର ଓ କମିଶନର ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବା ପାଇଁ ଉଦ୍ୟମ କରିବେ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ଏଜେଣ୍ଡା ଅନୁଯାୟୀ ଗୃହ ଚାଲିଥିଲା ।
ପ୍ରଥମେ ଷ୍ଟାଣ୍ଡିଂ କମିଟିଙ୍କ ଦ୍ୱାରା ଅନୁମୋଦନ ଲାଭ କରାଯାଇଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ପରେ ଗତ ସଭାର ବିବରଣୀ ପାଠ ସହ କାର୍ଯ୍ୟାନ୍ୱୟ ସଂପର୍କରେ ଆଲୋଚନା ହୋଇଥିଲା । ଏହା ପରେ ପ୍ରଶ୍ନୋତ୍ତର ଏବଂ ପରେ କର୍ପୋରେଟର ଓ ବିଭିନ୍ନ ଉପବିଭାଗୀୟ ଅଧିକାରୀଙ୍କଠାରୁ ଆସିଥିବା ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋନଚା କରାଯାଇଥିଲା ।
ଆଲୋଚନା ପ୍ରାରମ୍ଭରୁ ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରାଯାଇଥିଲା । ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ପୋରେଟରମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମାନନୀୟା ମେୟର ଓ କମିଶନର ଦେଇଥିଲେ । ଶେଷରେ ଷ୍ଟାଣ୍ଡିଂ କମିଟି ଜରିଆରେ ଆସିଥିବା କେତେକ ପ୍ରସ୍ତାବ ଉପସ୍ଥାପନ କରାଯିବା ସହ ସେଗୁଡିକ ଗୃହରେ ପାରିତ ହୋଇଯାଇଛି । ସେହିପରି କର୍ପୋରେଟର ଓ ବିଭିନ୍ନ ଉପବିଭାଗରୁ ଆସିଥିବା ପ୍ରସ୍ତାବଗୁଡିକ ଉପରେ ଆଲୋଚନା କରାଯାଇଥିଲା ।
ଅର୍ବାନ କନକ୍ଲେଭ 2026ରେ ଯୋଗାଦେଇଥିବା ବିଭିନ୍ନ ରାଜ୍ୟର ପ୍ରତିନିଧି ଭୁବନେଶ୍ୱରର ପରିମଳ, ରାସ୍ତାଘାଟ, ସାଜସଜ୍ଜା ଦେଖି ଉଚ୍ଚ ପ୍ରସଂଶା କରିଥିବାରୁ ମାନନୀୟା ମେୟର ବିଏମ୍ ସି କମିଶନରଙ୍କ ସହ ସମସ୍ତ କର୍ପୋରେଟର, ଅଧିକାରୀ, କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
କର୍ପୋରେଟରମାନଙ୍କର କାର୍ଯ୍ୟକାଳ ପୁରି ଆସୁଥିବାରୁ, ଅଧା ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ମାନନୀୟା ମେୟର ସମସ୍ତ କର୍ପୋରେଟରଙ୍କୁ ପରାମର୍ଶ ଦେଇଛନ୍ତି। ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା