
ତେଲ୍ ଅବିବ୍ (ଇସ୍ରାଏଲ୍), ୨୭ ଅକ୍ଟୋବର (ହି.ସ.)- ଇସ୍ରାଏଲ୍ର ରାଷ୍ଟ୍ରପତି ଇସାକ୍ ହର୍ଜୋଗ୍ ୧୨୦ ସଦସ୍ୟ ବିଶିଷ୍ଟ ନେସେଟ୍ (ସଂସଦ) ପାଇଁ ହେଉଥିବା ନିର୍ବାଚନରେ ଆଜି ଯେରୁଶାଲମର ଏକ ମତଦାନ କେନ୍ଦ୍ରରେ ନିଜର ଭୋଟ୍ ଦେଇଛନ୍ତି। ମତଦାନ କେନ୍ଦ୍ରରେ ନିଜ ଓ ପତ୍ନୀଙ୍କ ସହ ଉଠାଇଥିବା ଏକ ଫଟୋ ସେୟାର କରି ହର୍ଜୋଗ୍ କହିଛନ୍ତି, “ଆମେ ତ ଭୋଟ୍ ଦେଇସାରିଛୁ, ଆପଣ ଦେଇଛନ୍ତି କି? ବାହାରକୁ ଆସନ୍ତୁ ଏବଂ ଭୋଟ୍ ଦିଅନ୍ତୁ।”‘ଦି ଟାଇମ୍ସ ଅଫ୍ ଇସ୍ରାଏଲ୍’ର ରିପୋର୍ଟ ଅନୁସାରେ, ସରକାର ଗଠନରେ ରାଷ୍ଟ୍ରପତି ହର୍ଜୋଗ୍ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଆଜି ରାତିରେ ଭୋଟ୍ ଗଣତି ପରେ ସେ ନିର୍ବାଚିତ ଦଳଗୁଡ଼ିକର ନେତାଙ୍କ ସହ ଆଲୋଚନା କରିବେ। ଏହାପରେ ଯେଉଁ ସାଂସଦ ସରକାର ଗଠନ କରିବାରେ ସବୁଠାରୁ ଅଧିକ ସଫଳ ହୋଇପାରିବେ ବୋଲି ତାଙ୍କର ବିଶ୍ୱାସ ହେବ, ତାଙ୍କୁ ସରକାର ଗଠନର ଦାୟିତ୍ୱ ଦିଆଯିବ। ସମ୍ପୃକ୍ତ ପ୍ରାର୍ଥୀଙ୍କୁ ମେଂଟ ଗଠନ ପାଇଁ ୨୮ ଦିନ ସମୟ ମିଳିବ। ଆବଶ୍ୟକ ପଡ଼ିଲେ ଏହି ସମୟସୀମାକୁ ଆଉ ୧୪ ଦିନ ବଢ଼ାଯାଇପାରିବ।ଦେଶରେ ମତଦାନ ସୁରୁଖୁରୁରେ ଚାଲିଛି। ଦେଶର ପରବର୍ତୀ ସରକାର କାହାର ହେବ, ତାହା ଏହି ନିର୍ବାଚନ ସ୍ଥିର କରିବାକୁ ଥିବାରୁ ସମସ୍ତ ନେତା ନିଜ ସମର୍ଥକମାନଙ୍କୁ ଅଧିକ ସଂଖ୍ୟାରେ ମତଦାନ କରିବାକୁ ଅପିଲ୍ କରୁଛନ୍ତି। ଡେମୋକ୍ରାଟ୍ସ ପାର୍ଟିର ନେତା ୟାଇର୍ ଗୋଲାନ୍ ରୋଶ୍ ହାଆଇନ୍ରେ ନିଜ ପତ୍ନୀ ଓ ନାତିଙ୍କ ସହ ଭୋଟ୍ ଦେଇଥିଲେ। ସେ କହିଛନ୍ତି, “ଆଜି ଆମେ ଇସ୍ରାଏଲ୍କୁ ବଂଚାଉଛୁ।” ସେ ଆହୁରି କହିଛନ୍ତି, “ଆମେ ଚାରି ବର୍ଷ ଧରି ରାସ୍ତାରେ ସଂଘର୍ଷ କରିଛୁ।”ଓତ୍ଜମା ୟେହୁଦିତ୍ ପାର୍ଟିର ନେତା ତଥା ଜାତୀୟ ସୁରକ୍ଷା ମନ୍ତ୍ରୀ ଇତାମାର ବେନ୍ ଗ୍ଭିର୍ କିର୍ୟାତ୍ ଆର୍ବାରେ ନିଜ ପତ୍ନୀଙ୍କ ସହ ଭୋଟ୍ ଦେଇଥିଲେ। ବିରୋଧୀ ମେଂଟ ଜିତିଲେ ମନସୁର ଆବାସ୍ଙ୍କ ସରକାର ଗଠନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, “ନେତନ୍ୟାହୁ ପ୍ରଧାନମନ୍ତ୍ରୀ ହେବେ ଏବଂ ଆମେ ସେହି ସରକାରରେ ଦକ୍ଷିଣପନ୍ଥୀ ବିଚାରଧାରାର ପ୍ରତିନିଧିତ୍ୱ କରିବୁ।”ପିପଲ୍ ଅଫ୍ ଇସ୍ରାଏଲ୍ର ଅଧ୍ୟକ୍ଷ ଓଫର୍ ୱିଂଟର୍ ମିତ୍ଜପେ ନେଟୋଫାରେ ଭୋଟ୍ ଦେଇ କହିଛନ୍ତି, “ଇସ୍ରାଏଲ୍ର ଲୋକଙ୍କ ପାଇଁ, ଇସ୍ରାଏଲ୍ର ଚିରସ୍ଥାୟୀ ଅସ୍ତିତ୍ୱ ପାଇଁ ଏବଂ ଦେଶର ଏକତା ପାଇଁ ନିଜ ହୃଦୟର କଥା ଶୁଣି ଭୋଟ୍ ଦିଅନ୍ତୁ। ଆମେ ବଡ଼ ସଫଳତା ପାଇବୁ।” ୱିଂଟର୍ ନେତନ୍ୟାହୁଙ୍କ ନେତୃତ୍ୱାଧୀନ ସରକାରକୁ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।ଜଏଂଟ ଲିଷ୍ଟର ଅଧ୍ୟକ୍ଷ ୟୁସୁଫ୍ ଜାବ୍ରିନ୍ ଏହି ନିର୍ବାଚନକୁ ଏକ ନିର୍ଣ୍ଣାୟକ ଦିନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଆରବ ଜନସାଧାରଣ “ପରିବର୍ତନ ଆଣିବା ଏବଂ ଏହି ଫାସିବାଦୀ ସରକାରକୁ କ୍ଷମତାରୁ ହଟାଇବାର ନିଜ କ୍ଷମତା ଉପରେ ଭରସା ରଖିଛନ୍ତି।” ନେତନ୍ୟାହୁଙ୍କ ମେଂଟକୁ କ୍ଷମତାରୁ ହଟାଇପାରୁଥିବା ଯେକୌଣସି ସରକାରକୁ ସେ ସମର୍ଥନ କରିବେ ବୋଲି ଜାବ୍ରିନ୍ ପ୍ରତିଶ୍ରୁତି ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ