
କେନ୍ଦୁଝର, ୨୭ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ କନ୍ଫରେନ୍ସ ହଲଠାରେ ‘ଭିଜିଲାନ୍ସ ସଚେତନତା ସପ୍ତାହ-୨୦୨୬’ ଅବସରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଅକ୍ଟୋବର ୨୭, ୨୦୨୬ ରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କେନ୍ଦ୍ରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ସତର୍କତା ଆୟୋଗ ଙ୍କ ଦ୍ୱାରା ପ୍ରସାରିତ ସଚ୍ଚୋଟତା ଶପଥପତ୍ର ପାଠ କରାଇଥିଲେ। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହିତ ଆଭାସୀ ମାଧ୍ୟମରେ ଯୋଡ଼ିହୋଇ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ସାଧୁତା ଓ ସଚ୍ଚୋଟତାର ଶପଥ ପାଠ କରିଥିଲେ।
ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସିଧାପ୍ରସାରଣ କରାଯାଇଥିବା ବେଳେ ଆଭାସୀ ମାଧ୍ୟମରେ ଜିଲ୍ଲା କଲେକ୍ଟରେଟ୍ ସମେତ ସମସ୍ତ ବ୍ଲକ୍ କାର୍ଯ୍ୟାଳୟଗୁଡ଼ିକୁ ସଂଯୋଗ କରାଯାଇଥିଲା, ଯାହା ଦ୍ୱାରା ସମସ୍ତ ପ୍ରଶାସନିକ ସ୍ତରର ଅଧିକାରୀ ଓ କର୍ମଚାରୀମାନେ ଏକକାଳୀନ ଏହି ସାଧୁତାର ଶପଥ ଗ୍ରହଣ କରିପାରିଥିଲେ।
ଚଳିତ ବର୍ଷ ‘ଭିଜିଲାନ୍ସ ସଚେତନତା ସପ୍ତାହ’ର ମୁଖ୍ୟ ବିଷୟବସ୍ତୁ ରହିଛି “ସାଧୁତା ରୁ ସମୃଦ୍ଧି। ଏହି ବିଷୟବସ୍ତୁ ନୈତିକତା ଏବଂ ସ୍ଥାୟୀ ସମୃଦ୍ଧି ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଦର୍ଶାଉଛି। ବିଶେଷ କରି ସରକାରୀ ଓ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ସାଧୁତା, ସଚ୍ଚୋଟତା ଏବଂ ନୈତିକ ଆଚରଣକୁ ବଜାୟ ରଖିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।
ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକରେ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି କରିବା, ମଜବୁତ ଉତରଦାୟିତ୍ୱ ପ୍ରତିଷ୍ଠା କରିବା ଏବଂ ଏପରି ଏକ ପରିବେଶ ସୃଷ୍ଟି କରିବା ଯେଉଁଥିରେ ଦୁର୍ନୀତିକୁ ପରବର୍ତୀ ସମୟରେ ସଂଶୋଧନ କରିବା ଅପେକ୍ଷା ପ୍ରାରମ୍ଭରୁ ହିଁ ରୋକାଯାଇପାରିବ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA