ବାତ୍ୟା ଅର୍ଣ୍ଣବ ଯୋଗୁଁ ବର୍ଷା ଓ ବାତ୍ୟା ଆଶଙ୍କା: କନ୍ଧମାଳ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି
All Schools Close in KANDHAMAL due to cyclone
ବାତ୍ୟା ଅର୍ଣ୍ଣବ ଯୋଗୁଁ ବର୍ଷା ଓ ବାତ୍ୟା ଆଶଙ୍କା: କନ୍ଧମାଳ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି


କନ୍ଧମାଳ, ୨୭ ଅକ୍ଟୋବର(ହି.ସ.) – ସମ୍ଭାବ୍ୟ ଭୀଷଣ ବର୍ଷା ଓ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ଆସନ୍ତାକାଲି, ଅକ୍ଟୋବର ୨୮ ତାରିଖରେ, ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିବ। ଏନେଇ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ବେଦଭୂଷଣ ଆଦେଶ ଜାରି କରିଛନ୍ତି।

ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରହିବ। ତେବେ ଜନସାଧାରଣଙ୍କ ଆବଶ୍ୟକତା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନିଜ ନିଜ ବିଦ୍ୟାଳୟରେ ଉପସ୍ଥିତ ରହି କର୍ତବ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ଜିଲ୍ଲାରେ ଭୀଷଣ ବର୍ଷା ଓ ପବନର ଆଶଙ୍କା ଯୋଗୁଁ ଜିଲ୍ଲା ଆପାତକାଳୀନ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ହୋଇଛି। ଏହାସହ ଜିଲ୍ଲାରେ ଅଗ୍ନିଶମ ବିଭାଗ, ବିଦ୍ୟୁତ ସେବା, ସମସ୍ତ ଜିଲ୍ଲାସ୍ତରୀୟ ଚିକିତ୍ସା ବିଭାଗରେ ସମସ୍ତ ପ୍ରସ୍ତୁତି ହୋଇଛି। ବର୍ଷାର ପ୍ରଭାବରେ ଭୂସ୍ଖଳନ ହେବା ଆଶଙ୍କା ଯୋଗୁଁ ଗତ କିଛିଦିନ ତଳେ ଯାତାୟାତ ସ୍ୱାଭାବିକ ହୋଇଥିବା କଳିଙ୍ଗା ଘାଟିରେ ଯାତାୟାତକୁ ବାରଣ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande