
ଏପର୍ଯ୍ୟନ୍ତ ୪୮ ଜଣ ନିଖୋଜ ନିଜ ପରିବାର ସହ ପୁନଃମିଳିତ
ଝାରସୁଗୁଡ଼ା, 28 ଅକ୍ଟୋବର (ହି.ସ.) : ଜିଲ୍ଲା ପ୍ରଶାସନର 'ସ୍ନେହ ସେତୁ' କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡ଼ା ସ୍ଥିତ ମିଶନ ଆଶାଲୋକ-୧ ଏକ ପ୍ରଶଂସନୀୟ ସଫଳତା ହାସଲ କରିଛି। ଦୀର୍ଘ ଦୁଇ ମାସର ନିରନ୍ତର ଯତ୍ନ, ଉପଯୁକ୍ତ ଚିକିତ୍ସା, କାଉନସେଲିଂ ଏବଂ ପରିବାର ସନ୍ଧାନ ପରେ ବିହାରର କଟିହାର ବାସିନ୍ଦା ମୁନା ଆଲମଙ୍କୁ ତାଙ୍କ ପରିବାର ସହ ସଫଳତାର ସହ ପୁନଃମିଳନ କରାଯାଇଛି।ସୂଚନାଯୋଗ୍ୟ ଯେ, ସମ୍ବଲପୁରର ଗୋବିନ୍ଦପୁର ପୋଲିସ ଦ୍ୱାରା ଉଦ୍ଧାର ହେବା ପରେ ମୁନାଙ୍କୁ ଆଶାଲୋକ ମିଶନରେ ସମସ୍ତ ପ୍ରକାର ଆବଶ୍ୟକୀୟ ଆଶ୍ରୟ ଓ ସହାୟତା ପ୍ରଦାନ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୁଣାଲ ମୋତିରାମ ଚହ୍ବାଣ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଏହି ଆନୁଷ୍ଠାନିକ ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ ମିଶନ ଆଶାଲୋକ ଟିମ୍ର ନିଷ୍ଠାପର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କ ପରିବାର କୁ ଶୁଭକାମନା ଜଣାଇଥିଲେ। ଏହି ସମାରୋହରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ, ମିଶନର ଜଣେ ପୂର୍ବତନ ଅନ୍ତେବାସୀ ନୀଳମଣି ମେହେରଙ୍କୁ ମିଶନ ଆଶାଲୋକ-୧ ରେ 'ସହାୟକ' ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଗତ ୧୫ ଅଗଷ୍ଟ ୨୦୨୬ ରେ ନୀଳମଣିଙ୍କୁ ତାଙ୍କ ପରିବାର ସହ ମିଳାଇ ଦିଆଯାଇଥିଲା। ତାଙ୍କର କାର୍ଯ୍ୟ କରିବା ଇଚ୍ଛା ଓ ଆଗ୍ରହକୁ ଭିତ୍ତି କରି ଦିଆଯାଇଥିବା ଏହି ନିଯୁକ୍ତି ତାଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ନିରାଶ୍ରୟ ଓ ଅସହାୟ ଲୋକଙ୍କ ଯତ୍ନ, ଉପଯୁକ୍ତ ପୁନର୍ବାସ, ପରିବାର ସହ ପୁନଃମିଳନ ଏବଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ସଶକ୍ତ କରିବା କ୍ଷେତ୍ରରେ ମିଶନ ଆଶାଲୋକ ଏବଂ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ