
ଝାରସୁଗୁଡ଼ା, 28 ଅକ୍ଟୋବର (ହି.ସ.): ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ 'ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭' ଅନ୍ତର୍ଗତ ଜିଲ୍ଲାସ୍ତରୀୟ ସାଂସ୍କୃତିକ ଟ୍ରାକ୍ ପ୍ରତିଯୋଗିତା ଆସନ୍ତା ନଭେମ୍ବର ୬ ଓ ୭ ତାରିଖରେ ସ୍ଥାନୀୟ ଏମ୍ସିଏଲ୍ ଅଡିଟୋରିୟମ୍ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଜିଲ୍ଲା ମଙ୍ଗଳ ଅଧିକାରୀ ଜୟଶ୍ରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମୃତ ଆଚାର୍ଯ୍ୟଙ୍କ ସମେତ ମାଇଁ ଭାରତର କର୍ମକର୍ତ୍ତା ଏବଂ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷା ବିଭାଗ ଓ ପ୍ରଶାସନିକ ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ।
‘ନିଶା ମୁକ୍ତ ଯୁବ ହିଁ ବିକଶିତ ଭାରତ’ (Nasha Mukt Yuva for Viksit Bharat) ବିଷୟବସ୍ତୁକୁ ଆଧାର କରି ଜିଲ୍ଲାର ୧୫ରୁ ୨୯ ବର୍ଷ ବୟସ୍କ ଯୁବପିଢ଼ିଙ୍କୁ ଏକତ୍ରିତ ତଥା ଉତ୍ସାହିତ କରିବା ପାଇଁ ଏହି ମଞ୍ଚ ପ୍ରସ୍ତୁତ କରାଯାଇଛି। ଏଥିରେ ମୋଟ ୫ଟି ବିଭାଗ— ଲୋକନୃତ୍ୟ, ଲୋକଗୀତ, ଚିତ୍ରାଙ୍କନ, ନୁକ୍କଡ଼ ନାଟକ ଏବଂ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ 'ମାଇଁ ଭାରତ' (MY Bharat) ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ପ୍ରତିଯୋଗିତା ପରିଚାଳନା ଓ ସଠିକ୍ ମୂଲ୍ୟାୟନ ନିମନ୍ତେ ୧୫ ଜଣିଆ ବିଚାରକ ମଣ୍ଡଳୀ ଚୟନ କରାଯିବ।
ପ୍ରତିଯୋଗିତାରେ ବିଜେତାମାନଙ୍କୁ ଉତ୍ସାହିତ କରିବା ପାଇଁ ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ। ଦଳଗତ ବର୍ଗରେ (ଲୋକନୃତ୍ୟ, ଲୋକଗୀତ ଓ ନୁକ୍କଡ଼ ନାଟକ) ପ୍ରଥମ ସ୍ଥାନ ହାସଲକାରୀଙ୍କୁ ₹୧୦,୦୦୦/-, ଦ୍ୱିତୀୟଙ୍କୁ ₹୭,୫୦୦/- ଏବଂ ତୃତୀୟଙ୍କୁ ₹୫,୦୦୦/- ପ୍ରଦାନ କରାଯିବ। ସେହିପରି ବ୍ୟକ୍ତିଗତ ବର୍ଗରେ (ଚିତ୍ରାଙ୍କନ ଓ କବିତା ଲିଖନ) ପ୍ରଥମ ବିଜେତାଙ୍କୁ ₹୩,୦୦୦/-, ଦ୍ୱିତୀୟଙ୍କୁ ₹୨,୦୦୦/- ଏବଂ ତୃତୀୟଙ୍କୁ ₹୧,୦୦୦/- ପୁରସ୍କାର ରାଶି ମିଳିବ। ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରୁ ଲୋକନୃତ୍ୟ, ଲୋକଗୀତ, ଚିତ୍ରାଙ୍କନ ଓ କବିତା ଲିଖନର ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ/ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବେ, ଏବଂ ନୁକ୍କଡ଼ ନାଟକ କ୍ଷେତ୍ରରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରେଷ୍ଠ ଗୋଟିଏ ଦଳ ରାଜ୍ୟସ୍ତରକୁ ପ୍ରତିନିଧିତ୍ୱ କରିବେ। ଜିଲ୍ଲାର ସମସ୍ତ ଯୁବ ପ୍ରତିଭା ଏହି ସୁଯୋଗର ଲାଭ ଉଠାଇ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ