
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଜିରୋ କାଜୁଆଲିଟି ସୁନିଶ୍ଚିତ କରିବା ସହ ଚାଷଜମିରେ ଥିବା ଫସଲର ସୁରକ୍ଷା ଏବଂ ସମ୍ପତି କ୍ଷୟକ୍ଷତିକୁ ସର୍ବନିମ୍ନ କରିବା ଉପରେ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ଗୁରୁତ୍ୱାରୋପ କରିଛନ୍ତି।
ବାତ୍ୟାର ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ରାଜ୍ୟପାଳ ବୁଧବାର ଲୋକଭବନଠାରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ପାଟିଲ ରାଜ୍ୟରେ ବାତ୍ୟାର ପ୍ରଭାବ ଏବଂ ଜନଜୀବନ ଓ ସମ୍ପତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।
ଗଜପତି, ମାଲକାନଗିରି ଓ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜ୍ୟପାଳଙ୍କୁ ସୂଚନା ଦେଇଥିଲେ। ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳ ଅତିକ୍ରମ କରିନଥିଲେ ମଧ୍ୟ ପ୍ରବଳ ବର୍ଷା ଏବଂ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟରେ ସତର୍କତା ଅବଲମ୍ବନ କରାଯାଇଛି।
ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି ଏବଂ ସେମାନଙ୍କୁ ସଜାଗ ରଖାଯାଇଛି। ସେହିପରି, ବିପଦପ୍ରବଣ ଅଂଚଳର ଲୋକମାନଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ ପାଇଁ ତଦାରଖ କରୁଥିବା ଶ୍ରୀ ପାଟିଲ ରାଜ୍ୟପାଳଙ୍କୁ ଜଣାଇଥିଲେ।
ଏହି ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳତା ଏବଂ ମିଳିତ ଜାତିସଂଘ ଓ ବିଶ୍ୱ ବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ରାଜ୍ୟର ଏହି ମଡେଲକୁ ସ୍ୱୀକୃତି ମିଳିଥିବା ସମ୍ପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା।
ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଉପରେ ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ ଶ୍ରୀ ରାମ ସମସ୍ତ ବିଭାଗ ଓ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ନିରନ୍ତର ସମନ୍ୱୟ ଏବଂ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ବାତ୍ୟା ମୁକାବିଲା ସମୟରେ ଜନଜୀବନର ସୁରକ୍ଷା, ଚାଷଜମିରେ ଥିବା ଫସଲର ସୁରକ୍ଷା ଏବଂ ସମ୍ପତିର କ୍ଷୟକ୍ଷତି ହ୍ରାସକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ଗୁରୁତ୍ୱ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା