
ବିଭିନ୍ନ ଉନ୍ନୟନମୂଳକ ପ୍ରସ୍ତାବ ଓ ପାଣ୍ଠି ଆବଶ୍ୟକତା ନେଇ ବିସ୍ତୃତ ଆଲୋଚନା
ଝାରସୁଗୁଡ଼ା, 28 ଅକ୍ଟୋବର (ହି.ସ.): ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଆଜି ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ 'ସିଏମ୍-ସମ୍ପଦା' ଯୋଜନାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ତଥା ପ୍ରସ୍ତାବିତ ବିଭିନ୍ନ ଜନହିତକର ଓ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ତର୍ଜମା କରାଯାଇ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ବୈଠକରେ ପୂର୍ବରୁ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଅନୁମୋଦିତ ହୋଇଥିବା ବିଭିନ୍ନ ବିଭାଗର ପ୍ରସ୍ତାବଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏଥିରେ ବିଦ୍ୟାଳୟ ଛାତ୍ରାବାସଗୁଡ଼ିକର ଉନ୍ନତୀକରଣ, ଟେକ୍-ହୋମ୍ ରାସନ୍ ଏବଂ ଏମଏମଡିପି ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ ଛାତ୍ରବୃତ୍ତି ପ୍ରଦାନ, ସାମାଜିକ ସୁରକ୍ଷା ପେନସନ୍ ଏବଂ ଜିଲ୍ଲାର ସମସ୍ତ ଅଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପଦକ୍ଷେପ ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଅଧୀନରେ ଆବଶ୍ୟକ ହେଉଥିବା ପାଣ୍ଠି ମଞ୍ଜୁରୀ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଧାରିତ ଫର୍ମାଟ୍ ରେ ତୁରନ୍ତ ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 'ସିଏମ୍-ସମ୍ପଦା' ଯୋଜନା ଅଧୀନରେ ଆଗାମୀ କାର୍ଯ୍ୟପନ୍ଥାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମସ୍ତ ବିଭାଗ ଧାର୍ଯ୍ୟ ସମୟ ସୀମା ଭିତରେ ସଠିକ୍ ତଥ୍ୟ ଓ ପ୍ରସ୍ତାବ ପ୍ରଦାନ କରିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶକ୍ତି ପ୍ରସାଦ ପାଢ଼ୀ, ଝାରସୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ