
କୋଇଲା ପରିବହନରେ ମଲ୍ଟି-ଏକ୍ସେଲ୍ ଗାଡ଼ି ସାମିଲ କରିବା ବାଧ୍ୟତାମୂଳକ
ଝାରସୁଗୁଡ଼ା, 28 ଅକ୍ଟୋବର (ହି.ସ.) : ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଏମ୍ସିଏଲ୍ ଅଧୀନସ୍ଥ ଇବ୍ ଭ୍ୟାଲି ଅଞ୍ଚଳ ପରିଦର୍ଶନ କରି କୋଇଲା ପରିବହନ ପ୍ରକ୍ରିୟାର କ୍ଷେତ୍ର ପରିଦର୍ଶନ ସହ ଏହାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ସେ ପରିବହନ କାର୍ଯ୍ୟର ସୁପରିଚାଳନା ତଥା ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ସମସ୍ତ ପକ୍ଷ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଝାରସୁଗୁଡ଼ା ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଝାରସୁଗୁଡ଼ା ଏସ୍ଡିପିଓ, ବ୍ରଜରାଜନଗର ଥାନା ଅଧିକାରୀ (ଆଇଆଇସି), ଏମ୍ସିଏଲ୍ ଇବ୍ ଭ୍ୟାଲି ଏରିଆର ଜେନେରାଲ ମ୍ୟାନେଜର (ଜିଏମ୍) ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଇଲା ଖଣି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ପରିବହନ ବ୍ୟବସ୍ଥାକୁ ଅଧିକ ଦ୍ରୁତ ତଥା ନିରବଚ୍ଛିନ୍ନ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଅବସରରେ ଜିଲ୍ଲାପାଳ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏମ୍ସିଏଲ୍ ଖଣିରୁ କୋଇଲା ପରିବହନ ପାଇଁ ନିୟମାନୁଯାୟୀ ମଲ୍ଟି-ଏକ୍ସେଲ୍ ଗାଡ଼ିଗୁଡ଼ିକୁ ସାମିଲ କରାଯିବା ନିତାନ୍ତ ଆବଶ୍ୟକ।ଏଥିସହିତ ସେ ବ୍ରଜରାଜନଗର ଟ୍ରକ୍ ଅନର୍ସ ଆସୋସିଏସନକୁ କହିଛନ୍ତି ଯେ, କୋଇଲା ପରିବହନ ପ୍ରକ୍ରିୟାରେ କୌଣସି ପ୍ରକାର ବାଧା ଉପୁଜାଇବା କିମ୍ବା ହସ୍ତକ୍ଷେପ ନ କରିବାକୁ କୁହାଯାଇଛି। ସମସ୍ତ ନିୟମ ଶୃଙ୍ଖଳିତ ଭାବରେ ପାଳନ କରି ପରିବହନ କାର୍ଯ୍ୟ ସ୍ୱାଭାବିକ ରଖିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ