
ଝାରସୁଗୁଡ଼ା, 28 ଅକ୍ଟୋବର (ହି.ସ.) ଝାରସୁଗୁଡ଼ା, ୨୮ ହାୱଡ଼ା-ମୁମ୍ବାଇ ରେଳପଥର ଲାଜକୁରା-ବେଲପାହାଡ଼ ସେକ୍ସନ ଅନ୍ତର୍ଗତ ଥିବା ଲେଭଲ୍ କ୍ରସିଂ ଫାଟକ ନମ୍ବର ୨୬୮ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ହାତକୁ ନିଆଯାଇଛି। ରେଳ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳଧାରଣା ଏବଂ ସ୍ଲିପର୍ ନବୀକରଣ ତଥା ନିୟମିତ ଓଭରହଲିଂ କାର୍ଯ୍ୟ ପାଇଁ ଆଜି ଅର୍ଥାତ୍ ୨୮ ଅକ୍ଟୋବର ୨୦୨୬ (ବୁଧବାର) ରାତି ୧୦.୦୦ ଘଟିକାରୁ ଆସନ୍ତାକାଲି ୨୯ ଅକ୍ଟୋବର ୨୦୨୬ (ଗୁରୁବାର) ସକାଳ ୦୮.୦୦ ଘଟିକା ପର୍ଯ୍ୟନ୍ତ ଏହି ଲେଭଲ୍ କ୍ରସିଂ ଦେଇ ସାଧାରଣ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଶୀତଳ ତାପମାତ୍ରା ସମୟରେ କାର୍ଯ୍ୟ ସମ୍ପାଦନ ପାଇଁ ରାତ୍ରିକାଳୀନ ସମୟ ଧାର୍ଯ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ଯାତାୟାତ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଭାବେ ନିକଟସ୍ଥ ଗୁମାଡେରା ଲେଭଲ୍ କ୍ରସିଂ ନଂ-୨୬୭ ଏବଂ ରେଳ ଓଭରବ୍ରିଜ୍ ଦେଇ ଟ୍ରାଫିକ୍ ଡାଇଭର୍ସନ୍ କରାଯିବ। ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ର ବ୍ରଜରାଜନଗର ବରିଷ୍ଠ ସେକ୍ସନ ଇଞ୍ଜିନିୟର ଏ ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି। ଯାତ୍ରୀ ତଥା ସ୍ଥାନୀୟ ଜନସାଧାରଣ ଏହି ସାମୟିକ ଅସୁବିଧା ପାଇଁ ସହଯୋଗ କରି ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ