
ଜିଲ୍ଲାରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ନାମଲେଖା ବ୍ୟବଧାନ ଦୂର ଉପରେ ଗୁରୁତ୍ୱ
ଡ୍ରପ୍-ଆଉଟ୍ ପିଲାଙ୍କ ମୁଖ୍ୟସ୍ରୋତରେ ସାମିଲ ନେଇ ଆଲୋଚନା
ବିପଦସଙ୍କୁଳ କୋଠା ଭଙ୍ଗା ଏବଂ ସ୍କୁଲଗୁଡ଼ିକରେ ସ୍ମାର୍ଟ ଟିଭି ଓ ଇଣ୍ଟରାକ୍ଟିଭ୍ ପ୍ୟାନେଲ୍ ବ୍ୟବସ୍ଥା ତ୍ଵରାନିତ ପାଇଁ ନିର୍ଦ୍ଦେଶ
ଝାରସୁଗୁଡ଼ା, 28 ଅକ୍ଟୋବର (ହି.ସ.) :ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷା ଅଧ୍ୟକ୍ଷ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମ, ଡ୍ରପ୍-ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା, ନାମଲେଖା ବ୍ୟବଧାନର ସଂଶୋଧନ, ପିଏମ୍-ଶ୍ରୀ ଯୋଜନାର ଅଗ୍ରଗତି ତଥା ଅନ୍ୟାନ୍ୟ ପ୍ରମୁଖ ଶିକ୍ଷା ଭିତ୍ତିଭୂମି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ସମୀକ୍ଷା କାଳରେ ଜିଲ୍ଲାପାଳ ଡ୍ରପ୍ ବକ୍ସ ରେ ପଡ଼ିରହିଥିବା ସମସ୍ତ ମାମଲାକୁ ତୁରନ୍ତ ଫଇସଲା କରିବା ସହ ଚିହ୍ନଟ ହୋଇଥିବା ଡ୍ରପ୍-ଆଉଟ୍ ପିଲାମାନଙ୍କୁ ସେମାନଙ୍କ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ଆସନ୍ତା ଏକ ସପ୍ତାହ ମଧ୍ୟରେ ନାମ ଲେଖାଇ ମୁଖ୍ୟସ୍ରୋତକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୂର୍ବ ବର୍ଷ ତୁଳନାରେ ବିଦ୍ୟାଳୟ ଦେଖାଯାଇଥିବା ନାମଲେଖା ବ୍ୟବଧାନକୁ ତୁରନ୍ତ ଯାଞ୍ଚ କରି ଆଗାମୀ ସପ୍ତାହକ ମଧ୍ୟରେ ସଂଶୋଧନ କରିବାକୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। ସେହିପରି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସମ୍ପୃକ୍ତ ତହସିଲଦାର ଓ ବିଡ଼ିଓମାନଙ୍କ ସହିତ ଆଲୋଚନା କରି ୧୦ ଦିନ ମଧ୍ୟରେ ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାର ବିକାଶ ନିମନ୍ତେ ଜିଲ୍ଲାରେ ଉଲ୍ଲାସ ପଞ୍ଜୀକରଣ ପ୍ରକ୍ରିୟାକୁ ବ୍ୟାପକ କରିବା ଏବଂ ପୂର୍ବରୁ ଚିହ୍ନଟ ହୋଇଥିବା ବିପଦସଙ୍କୁଳ ବିଦ୍ୟାଳୟ ଗୃହଗୁଡ଼ିକୁ ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ପିଏମ୍-ଶ୍ରୀ ସ୍କୁଲଗୁଡ଼ିକରେ ପୋଷାକ ବଣ୍ଟନ ପ୍ରକ୍ରିୟା ଶେଷ ହୋଇଥିବାରୁ, ଯୋଗାଣକାରୀ ସଂସ୍ଥାଙ୍କଠାରୁ ଗୁଣବତ୍ତା ସମ୍ପର୍କିତ ଘୋଷଣାନାମା ସଂଗ୍ରହ କରିବା ଏବଂ ନିୟମାନୁଯାୟୀ ଯାଞ୍ଚ ପରେ ଗୋଟିଏ ସପ୍ତାହ ମଧ୍ୟରେ ଆବଣ୍ଟିତ ପାଣ୍ଠିର ଉପଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପିଏମ୍-ଶ୍ରୀ ଯୋଜନାର ଅନ୍ୟାନ୍ୟ କାର୍ଯ୍ୟକଳାପ ନିମନ୍ତେ ଉଦ୍ଦିଷ୍ଟ ଅର୍ଥକୁ ଚଳିତ ଅକ୍ଟୋବର ଶେଷ ସୁଦ୍ଧା ସରକାରୀ ନିୟମ ଅନୁସାରେ ଖର୍ଚ୍ଚ ସାରିବାକୁ କୁହାଯାଇଛି। ବିଦ୍ୟାଳୟ ଶିକ୍ଷାରେ ଡିଜିଟାଲ୍ ସଂସ୍କାର ଆଣିବା ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡତିଆଙ୍କ ଦ୍ୱାରା ଦିଆଯାଇଥିବା ଏକ ପ୍ରସ୍ତାବକୁ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଜିଲ୍ଲାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସ୍ମାର୍ଟ ଟିଭି ଏବଂ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ସରକାରୀ ଓ ଅନୁଦାନପ୍ରାପ୍ତ) କୁ ଇ-କଣ୍ଟେଣ୍ଟ ସୁବିଧା ଥିବା ଇଣ୍ଟରାକ୍ଟିଭ୍ ପ୍ୟାନେଲ୍ ଯୋଗାଇ ଦିଆଯିବ। ବୈଠକରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି ପାଇଁ ଚାଲିଥିବା ଉଡିଆନ୍ ତାରା କାର୍ଯ୍ୟକ୍ରମର ଶ୍ରେଣୀୱାରୀ ସଫଳ ରୂପାୟନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଚହ୍ବାଣ ସମସ୍ତ ନିଷ୍ପତ୍ତିକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପୂରଣ କରିବା, ନିୟମିତ ତଦାରଖ କରିବା ଏବଂ ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ ବଜାୟ ରଖିବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷାର ତଥା ଡିପିଓ କାର୍ଯ୍ୟାଳୟର ବୈଷୟିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ