
ଜିଲ୍ଲାସ୍ତରୀୟ ସମନ୍ୱୟ ଏବଂ ଉପ-କମିଟିର ତଥ୍ୟର ସଠିକତା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ
ଝାରସୁଗୁଡ଼ା, 28 ଅକ୍ଟୋବର (ହି.ସ.) : ଝାରସୁଗୁଡ଼ା ଜିଲ୍ଲାରେ ଏକାଦଶ କୃଷି ଗଣନା (ତୃତୀୟ ପର୍ଯ୍ୟାୟ) ଏବଂ ଜଳସେଚନ ଗଣନା ସମ୍ପର୍କିତ ତଥ୍ୟର ଯାଞ୍ଚ ଓ ଅନୁମୋଦନ ନିମନ୍ତେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜିଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ପ୍ରାରମ୍ଭରେ ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପ-ନିର୍ଦ୍ଦେଶକ ସଞ୍ଜୟ କୁମାର ଦୀପ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ଏକାଦଶ କୃଷି ଗଣନା (ଫେଜ୍-୩)ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହାପରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉପ-କମିଟି ବୈଠକରେ ପରିସଂଖ୍ୟାନ ଅଧିକାରୀ ଶୁଭ୍ରଜିତ ବେହେରା ଜଳସେଚନ ଗଣନାର ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ତଥ୍ୟ ସମ୍ପର୍କରେ ଜିଲ୍ଲାପାଳଙ୍କ ଦ୍ୱାରା ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଓ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ। ଏହି ବୈଠକରେ ଗଣନା ତଥ୍ୟର ସମୀକ୍ଷା କରାଯିବା ସହ ସେଗୁଡ଼ିକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରାଯାଇଛି, ଯାହାକି ଜିଲ୍ଲାସ୍ତରରେ ପରିସଂଖ୍ୟାନ ତଥ୍ୟର ସଠିକତା ଏବଂ ନିର୍ଭରଯୋଗ୍ୟତା ନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଉକ୍ତ ବୈଠକରେ ଡିପିଏମୟୁ ର ପରିସଂଖ୍ୟାନ ଅଧିକାରୀ ଶୁଭ୍ରଜିତ ବେହେରା, ସମବାୟ ସମିତି ସମୂହର ଡେପୁଟି ରେଜିଷ୍ଟ୍ରାର ମମତା ରାଣୀ କୁଜୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଜିଲ୍ଲା କୃଷି ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ