

କନ୍ଧମାଳ , ୨୮ ଅକ୍ଟୋବର (ହି.ସ.) ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ଏବଂ ଜନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କନ୍ଧମାଳ ଜିଲ୍ଲାରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଶୂନ୍ୟ ମୃତ୍ୟୁହାର ହାସଲ କରିବା ସହ ଧନଜୀବନର ସୁରକ୍ଷା, ଜରୁରୀ ସେବାର ନିରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରବର୍ତ୍ତୀ ତ୍ୱରିତ ସହାୟତା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ, ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସି ବାତ୍ୟା ମୁକାବିଲା ପ୍ରସ୍ତୁତି ସହ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନ ହୁଏ, ସେଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ, ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ୧୯୮ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ଦୃଷ୍ଟିରୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୧୩ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟସେବା ସହ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ଉପରେ ନଜର ରଖାଯାଇଛି।
ବ୍ଲକ୍ସ୍ତରରେ ବିଡିଓଙ୍କଠାରୁ ଆରମ୍ଭ କରି ପଞ୍ଚାୟତସ୍ତରର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବା ସହ ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି। ବାତ୍ୟା ସମୟରେ ପାନୀୟ ଜଳ ଯୋଗାଣ ସମେତ ଅତ୍ୟାବଶ୍ୟକ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପ୍ରସ୍ତୁତି ସହ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ