କନ୍ଧମାଳରେ ଦୁଇଟି ଘାଟି ରାସ୍ତାରେ ଯାତାୟାତ ବନ୍ଦ, ପର୍ଯ୍ୟଟନସ୍ଥଳୀକୁ ଯିବା ଉପରେ କଟକଣା:କ୍ଷୟକ୍ଷତିର ତ୍ୱରିତ ଆକଳନ ସହ ପାଞ୍ଚ ଦିନ ମଧ୍ୟରେ ସହାୟତା
Quick Estimation and Relief by the Government
କନ୍ଧମାଳରେ ଦୁଇଟି ଘାଟି ରାସ୍ତାରେ ଯାତାୟାତ ବନ୍ଦ, ପର୍ଯ୍ୟଟନସ୍ଥଳୀକୁ ଯିବା ଉପରେ କଟକଣା:କ୍ଷୟକ୍ଷତିର ତ୍ୱରିତ ଆକଳନ ସହ ପାଞ୍ଚ ଦିନ ମଧ୍ୟରେ ସହାୟତା


କନ୍ଧମାଳ, ୨୮ ଅକ୍ଟୋବର (ହି.ସ.) କନ୍ଧମାଳ ଜିଲ୍ଲାର ଭୌଗୋଳିକ ସ୍ଥିତି, ଘନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳକୁ ଦୃଷ୍ଟିରେ ରଖି ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଗଛ ଉପୁଡ଼ିବା, ରାସ୍ତା ଅବରୋଧ ହେବା ଏବଂ ଘରଦ୍ୱାର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହାକୁ ନଜରରେ ରଖି ଜିଲ୍ଲାର ଦୁଇଟି ଘାଟି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି। ଏଥିସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି।

ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଲାଗି ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ଆବଶ୍ୟକ ପଡ଼ିଲେ ଓଡ୍ରାଫ୍ ଟିମ୍କୁ ମଧ୍ୟ ମୁତୟନ କରାଯିବ। ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ୨୪ ଘଣ୍ଟା ସତର୍କ ରହିବା ସହ ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି। ବାତ୍ୟା ସମୟରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ସମ୍ଭବ ମାତ୍ରାରେ ସ୍ୱାଭାବିକ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

କେବଳ ବାତ୍ୟା ପୂର୍ବ ପ୍ରସ୍ତୁତି ନୁହେଁ, ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ ଓ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ଯୋଗୁଁ ଘରଦ୍ୱାର ଭାଙ୍ଗିବା କିମ୍ବା ଅନ୍ୟାନ୍ୟ କ୍ଷୟକ୍ଷତି ହେଲେ ତୁରନ୍ତ ଆକଳନ କରି ପ୍ରଭାବିତ ପରିବାରଙ୍କୁ ପାଞ୍ଚ ଦିନ ମଧ୍ୟରେ ସହାୟତା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଆବଶ୍ୟକ ପଡ଼ିଲେ ମନ୍ତ୍ରୀ ନିଜେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ବାତ୍ୟା ଓ ବର୍ଷାର ପ୍ରଭାବ ହ୍ରାସ ପାଇବା ପର୍ଯ୍ୟନ୍ତ ଜିଲ୍ଲାରେ ରହି ଲୋକଙ୍କ ସମସ୍ୟା ବୁଝିବା ସହ ଆବଶ୍ୟକ ସହାୟତା ଓ ସୁବିଧା ଯୋଗାଇଦେବାକୁ ସେ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କୁ ତ୍ୱରିତ ସହାୟତା ପହଞ୍ଚାଇବା ସହ ପରବର୍ତ୍ତୀ ସ୍ଥିତିକୁ ସ୍ୱାଭାବିକ କରିବା ସମ୍ଭବ ହେବ ବୋଲି ଆଶା କରାଯାଉଛି।

ଆଜି ସକାଳେ ଫୁଲବାଣୀ ଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକ ରେ ମନ୍ତ୍ରୀ ଶ୍ରୀ ରବି ନାୟକଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଉମାଚରଣ ମଲ୍ଲିକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜେନ୍ଦ୍ର ପ୍ରସାଦ, ପ୍ରଶିକ୍ଷଣରତ ଆଇଏଏସ୍ ଅଧିକାରୀ ଶ୍ରୀ ଯଶକିରଣ ସିଂଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସମ୍ଭାବ୍ୟ ବାତ୍ୟାକୁ ନେଇ କନ୍ଧମାଳ ଜିଲ୍ଲାରେ ପ୍ରଶାସନର ପ୍ରସ୍ତୁତି ଜାରି ରହିଥିବାବେଳେ ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟ ହାସଲ, ଜନଜୀବନର ସୁରକ୍ଷା ଓ ବିପର୍ଯ୍ୟୟ ପରବର୍ତ୍ତୀ ତ୍ୱରିତ ସହାୟତା ପ୍ରଦାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଆଗୁଆ ସତର୍କତା, ବିଭାଗୀୟ ସମନ୍ୱୟ ଓ ତ୍ୱରିତ ପଦକ୍ଷେପ ମାଧ୍ୟମରେ ସମ୍ଭାବ୍ୟ ବିପର୍ଯ୍ୟୟର ପ୍ରଭାବକୁ ସର୍ବନିମ୍ନ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରୁଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande