
ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.) ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ବୁଧବାର ରାତି ପ୍ରାୟ ୨ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ପ୍ରାୟ ୬ ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ବଡ଼ ଧରଣର କ୍ଷୟକ୍ଷତିର ସୂଚନା ନାହିଁ ଏବଂ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେବେ ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ରାଜେଶ ପ୍ରଭାକର ପାଟିଲ କହିଛନ୍ତି।
ବୁଧବାର ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଟିଲ କହିଛନ୍ତି ଯେ ବାତ୍ୟାର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। ବିଶେଷ କରି ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିଥିବା ଗଞ୍ଜାମ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଛତ୍ରପୁର, ଚିକିଟି ଓ ଅନ୍ୟ କେତେକ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିଛି।
ଗତ ୨୪ ଘଣ୍ଟାର ବର୍ଷା ରେକର୍ଡ ଅନୁଯାୟୀ, ଗଜପତି ଜିଲ୍ଲାର ମୋହନା ବ୍ଲକ୍ରେ ସର୍ବାଧିକ ୧୮୨ ମିଲିମିଟର ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୧୪୦ ମିଲିମିଟର, ଗଞ୍ଜାମ ବ୍ଲକ୍ରେ ୧୬୧ ମିଲିମିଟର ଏବଂ ଛତ୍ରପୁରରେ ୧୫୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ଏହି ସମୟ ମଧ୍ୟରେ ହାରାହାରି ୨୩ ମିଲିମିଟର ବର୍ଷା ହୋଇଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାତ୍ୟାଟି ବୁଧବାର ସନ୍ଧ୍ୟା ସୁଦ୍ଧା ମାଲକାନଗିରି ଜିଲ୍ଲାରେ ପହଞ୍ଚିବା ସହ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ହୋଇପାରେ। କେତେକ ଅଞ୍ଚଳରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ କ୍ଷୟକ୍ଷତି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
୮ ଜିଲ୍ଲାରୁ ୨୮ ହଜାର ଲୋକ ସ୍ଥାନାନ୍ତର
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲାରୁ ପ୍ରାୟ ୨୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୨,୨୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବର୍ଷାର ପରିମାଣ ଓ ସ୍ଥାନୀୟ ପରିସ୍ଥିତିକୁ ଦେଖି ଆବଶ୍ୟକ ପଡ଼ିଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସ୍ଆର୍ସି କହିଛନ୍ତି।
ରାଜ୍ୟରେ ୩୨୪ଟି ଆଶ୍ରୟସ୍ଥଳୀରେ ଲୋକମାନେ ରହିଛନ୍ତି। ସେଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବାତ୍ୟା ମୁକାବିଲା ପାଇଁ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ଟିମ୍ଗୁଡ଼ିକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ଜିଲ୍ଲା ପ୍ରଶାସନଗୁଡ଼ିକୁ ସଜାଗ ରଖାଯାଇଛି।
ବାତ୍ୟା ଯୋଗୁଁ ଫସଲ କ୍ଷତି ହୋଇଥିଲେ ତାହାର ଆକଳନ କରାଯିବ। ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ଆବଶ୍ୟକତା ଅନୁଯାୟୀ ଆଗକୁ ପଦକ୍ଷେପ ନିଆଯିବ ବୋଲି ଏସ୍ଆର୍ସି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ