
ଝାରସୁଗୁଡ଼ା, 28 ଅକ୍ଟୋବର (ହି.ସ.) : ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ରାମପେଲା ବ୍ରିଜ୍ ପରିଦର୍ଶନ କରିବା ସହ ଅତର୍କିତ ଯାଞ୍ଚ କରିଛନ୍ତି। ଏହି ପରିଦର୍ଶନ କାଳରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ମଧ୍ୟ ତାଙ୍କ ସହିତ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖ୍ୟତଃ ଏହି ରୁଟ୍ ଦେଇ ଜେଏସଡବ୍ଲ୍ୟୁ ଏବଂ ଓପିଜିସି କମ୍ପାନୀ ଦ୍ୱାରା ହେଉଥିବା ପାଉଁଶ ଓ କୋଇଲା ପରିବହନ ବ୍ୟବସ୍ଥାର ବାସ୍ତବ ସ୍ଥିତି ଉପରେ ଜିଲ୍ଲାପାଳ ଅନୁଧ୍ୟାନ କରିବା ସହ ଏବଂ ପରିବହନ ନିୟମାବଳୀର ତଦାରଖ କରିଥିଲେ। ଯାଞ୍ଚ ସମୟରେ ରାସ୍ତାର ଦୁରବସ୍ଥା ଓ ପରିବେଶ ପ୍ରଦୂଷଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଉଭୟ ଶିଳ୍ପ ସଂସ୍ଥାକୁ ସଠିକ୍ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ରାସ୍ତା ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ ଯୋଗୁଁ ଯେପରି ସାଧାରଣ ଜନଜୀବନ ଓ ପରିବେଶ ପ୍ରଭାବିତ ନ ହୁଏ, ସେଥିପାଇଁ ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସଂପୃକ୍ତ ରାସ୍ତାର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିୟମିତ ମରାମତି କାର୍ଯ୍ୟ ତୁରନ୍ତ ସମ୍ପାଦନ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ରାମପେଲା ବ୍ରିଜ୍ ଉପରେ ଜମୁଥିବା ପାଉଁଶ ଓ ଧୂଳିକୁ ସଫା କରିବା ପାଇଁ ନିୟମିତ ଝାଡ଼ୁ ଓ ସଫେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଜ୍ ଦେଇ ଯାତାୟାତ କରୁଥିବା ଯାନବାହନ ଉପରେ କଡ଼ା ନଜର ରଖିବା ତଥା ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପାଇଁ ସମଗ୍ର ବ୍ରିଜ୍ ଅଞ୍ଚଳରେ ତୁରନ୍ତ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ