
ପୁରୀ, 28 ଅକ୍ଟୋବର (ହି.ସ.) ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପୁରୀ ଏସ୍ପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୋଲିସ ଅଧିକାରୀମାନେ ସମୁଦ୍ରକୂଳରେ ପାଟ୍ରୋଲିଂ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ସମୁଦ୍ରକୂଳରେ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସମୁଦ୍ରରେ ସ୍ନାନ ନକରିବା ଏବଂ ପ୍ରଶାସନର ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ପୋଲିସ ପକ୍ଷରୁ ସଚେତନ କରାଯାଇଛି।ବାତ୍ୟା ସମୟରେ ଜନସାଧାରଣ ଅନାବଶ୍ୟକ ଭାବେ ସମୁଦ୍ରକୂଳକୁ ନଯିବା ସହ ସତର୍କ ରହିବାକୁ ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ପୋଲିସ ଟିମ୍ମାନେ ସମୁଦ୍ରକୂଳ, ରାସ୍ତାଘାଟ, ବଜାର ଅଞ୍ଚଳ, ହୋର୍ଡିଂ, ବ୍ୟାନର, ଅସ୍ଥାୟୀ ଗଠନ, ନିର୍ମାଣାଧୀନ ସ୍ଥାନ, ବିଦ୍ୟୁତ୍ ଖୁଣ୍ଟି ଓ ଗଛଗୁଡ଼ିକର ସ୍ଥିତି ଯାଞ୍ଚ କରୁଛନ୍ତି। ଦୁର୍ବଳ କିମ୍ବା ବିପଜ୍ଜନକ ହୋର୍ଡିଂ ଓ ଗଠନଗୁଡ଼ିକୁ ତୁରନ୍ତ ହଟାଇବା, ରାସ୍ତା ଅବରୋଧ ହେଲେ ଶୀଘ୍ର ସଫା କରିବା ଏବଂ ଆବଶ୍ୟକ ସ୍ଥାନରେ ବ୍ୟାରିକେଡ୍ ଲଗାଇବା ପାଇଁ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ କରାଯାଉଛି।ଜନସାଧାରଣ ଦୁର୍ବଳ ଘର, ଗଛ, ବିଦ୍ୟୁତ୍ ତାର, ହୋର୍ଡିଂ ଓ ଅନ୍ୟାନ୍ୟ ଅସ୍ଥାୟୀ ଗଠନ ନିକଟରେ ନରହିବାକୁ ଏବଂ ଜରୁରୀ ପରିସ୍ଥିତିରେ ତୁରନ୍ତ ପୋଲିସ କିମ୍ବା ପ୍ରଶାସନକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ବାତ୍ୟା ସମୟରେ ଜନସାଧାରଣ ଅନାବଶ୍ୟକ ଭାବେ ସମୁଦ୍ରକୂଳକୁ ନଯିବା ସହ ସତର୍କ ରହିବାକୁ ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ