
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗବାତ୍ୟା ଅର୍ଣ୍ଣବ' ପ୍ରଭାବରେ ଲଗାଣ ବର୍ଷା ଜନିତ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତିକ୍ଷ ଗୁରୁବାର ସକାଳେ ଏସ୍ଆରସି କାର୍ଯ୍ୟାଳୟରେ ଶ୍ରୀମତୀ ଗର୍ଗ ସ୍ଥିତି ସମୀକ୍ଷା କରିବନ୍ୟା ମୁକାବିଲା ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲାରେ ପ୍ରଭାବିତଙ୍କ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ, ଏସଆରସି ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି.କୀର୍ତିଭାସନ ଙ୍କ ସହିତ କଥା ହୋଇଥିଲେ । ବାତ୍ୟା ପୂର୍ବରୁ ପ୍ରସ୍ତୁତି ଓ ଲଗାଣ ବର୍ଷା ଯୋଗୁଁ ବନ୍ୟା ମୁକାବିଲାପଦକ୍ଷେପ ସମ୍ପର୍କରେ ସେ ଆଲୋଚନା କରିଥିଲେ । ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀଙ୍କ ସହିତ ନିଆଯାଉଥିବା ପଦକ୍ଷେପ ସଂପର୍କରେ ମଧ୍ୟ ଆଲୋଚନା ଓ ପରାମର୍ଶ କରିଛନ୍ତି ।
ଗଂଜାମ ଜିଲ୍ଲାର ୨୨ଟି ବ୍ଲକ ଅଧିନସ୍ଥ ୨୦୮ଟି ଗ୍ରାମ ପଂଚାୟତର ୨୯୯ଟି ଗ୍ରାମ ଏବଂ ଗଜପତି ଜିଲ୍ଲାର ୭ଟି ବ୍ଲକ ଅନ୍ତର୍ଗତ ୧୧୦ଟି ଗ୍ରାମ ପଂଚାୟତର ୭୧୧ଟି ଗ୍ରାମ ବେଶୀ ପ୍ରଭାବିତ ହୋଇଛନ୍ତି । ଗଂଜାମ ଜିଲ୍ଲାର ୪୨,୫୦୦ ଏବଂ ଗଜପତି ଜିଲ୍ଲାର ୨୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି । ଗଂଜାମ ଜିଲ୍ଲାର ୧୧,୮୮୨ ଜଣ ଓ ଗଜପତି ଜିଲ୍ଲାର ୧୭,୪୪୧ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇ ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି । ଗଂଜାମ ଜିଲ୍ଲାରେ ୭୦ ଟି ଗ୍ରାମର ୨୩୨୮ ଟି ଲୋକ ଜଳଘେରି ଅବସ୍ଥାରେ ଅଛନ୍ତି । ପ୍ରଭାବିତ ଅଂଚଳରେ ପ୍ରଖର ଜଳସ୍ରୋତ ଯୋଗୁଁ ଯେଉଁଠି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପହଁଚିବା ସମ୍ଭବପର ହେଉ ନାହିଁ, ସେ ସବୁ ଅଂଚଳରେ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଏୟାର ଲିଫ୍ଟିଂ କରାଯିବା ନେଇ ପରାମର୍ଶ କରାଯାଇଛି । ଜିଲ୍ଲାପାଳଙ୍କୁ ସେ ସବୁ ଅଂଚଳର ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ସେସବୁ ଅଂଚଳରେ ରନ୍ଧାଖାଦ୍ୟା, ପିଇବା ପାଣି ଓ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଭାରତୀୟ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର କରାଯିବା ନେଇ ମୁଖ୍ୟ ଶାସନ ସଚିବ ଉଚ୍ଚ କର୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି । ଜରୁରୀ ଆବଶ୍ୟକତା ସ୍ଥଳେ ଏୟାର ଲିଫ୍ଟିଂ ପାଇଁ ନିଷ୍ପତି ନିଆଯିବ । ସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଗଜାମ ଜିଲ୍ଲାରେ ୨୭ଟି ଓଡ୍ରାଫ୍, ୩ଟି ଏନଡିଆରଏଫ୍ ଏବଂ ୨୪ଟି ଅଗ୍ନିଶମ ସେବା ବିଭାଗ ଟିମ୍ ମୁତୟନ ହୋଇଛନ୍ତି । ଗଜପତି ଜିଲ୍ଲାରେ ୧୨ଟି ଓଡ୍ରାଫ୍, ୧ଟି ଏନଡିଆରଏଫ୍ ଏବଂ ୧୨ଟି ଅଗ୍ନିଶମ ସେବା ବିଭାଗ ଟିମ୍ ମୁତୟନ ହୋଇଛନ୍ତି । ଗଂଜାମ ଜିଲ୍ଲାରେ ୫୫୦ ଜଣ ଓ ଗଜପତି ଜିଲ୍ଲାରେ ୪୨୦ ଗର୍ଭବତୀ ମହିଳା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲାର ଚିକିଟି ଓ ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ବାଘଲଟି ଜଳଭଣ୍ଡାର ଏବଂ ବାହୁଦା ନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଏଥି ଯୋଗୁଁ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ ଠାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବାତ୍ୟା ‘ଅର୍ଣ୍ଣବ’ ଆଶଙ୍କା ଓ ଭାରତୀୟ ପାଣିପାଗ ବିଭାଗର ପ୍ରବଳ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଜଳଧାରଣ କ୍ଷମତା ନିୟନ୍ତ୍ରଣ ପାଇଁ ପୂର୍ବରୁ ଜଳ ନିଷ୍କାସନ କରାଯାଇଥିଲା । ୨୭ ଅକ୍ଟୋବର ସନ୍ଧ୍ୟାରୁ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ୨୮ ଅକ୍ଟୋବର ସକାଳ ୧୧ଟା ସୁଦ୍ଧା ଜଳପ୍ରବାହ ପ୍ରତି ସେକେଣ୍ଡରେ ୫୫୦ ଘନମିଟରକୁ ବୃଦ୍ଧି ପାଇଥିଲା । ଫଳରେ ଜଳଭଣ୍ଡାରର ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା । ଅନ୍ୟପକ୍ଷରେ, ୨୮ ଅକ୍ଟୋବର ସକାଳ ୧୧ ଟାରୁ ସଂଧ୍ୟା ୭ଟା ମଧ୍ୟରେ ପାତ୍ରପୁର ବ୍ଲକରେ ୫୪୬ ମିମି ଏବଂ ଚିକିଟି ବ୍ଲକରେ ୨୮୯ ମିମି ବର୍ଷା ରେକର୍ଡ ହୋଇଥିଲା । ଏହାଦ୍ୱାରା ବାହୁଦା ନଦୀରେ ଜଳପ୍ରବାହ ବୃଦ୍ଧି ସହ ନିମ୍ନ ଅବବାହିକାରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଥିଲା । ଏହି ପରିସ୍ଥିତିରେ ରେଳ କର୍ତୃପକ୍ଷଙ୍କ ପକ୍ଷରୁ ଇଚ୍ଛାପୁରମ୍ ଓ ଜଟପୁଡ଼ି ଷ୍ଟେସନ ମଧ୍ୟରେ ଡାଙ୍ଗୁଏଡ଼ା ନିକଟସ୍ଥ ରେଳବ୍ରିଜ୍ ନଂ. ୧୦୫୨ରେ ଜଳସ୍ତର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିବା ସୂଚନା ମିଳିଥିଲା । ଏଥିଯୋଗୁଁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଗଂଜାମ ପଟରେ କେତେକ ଟ୍ରେନ୍ ଅଟକି ରହିଛନ୍ତି ।ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ସହିତ ପୂର୍ବତଟ ରେଳପଥର ବିଶାଖାପାଟଣା ଓ ଭୁବନେଶ୍ୱରସ୍ଥିତ ଅଧିକାରୀମାନଙ୍କ ସହ ନିରନ୍ତର ସମନ୍ୱୟ ରଖାଯାଇଛି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ସହିତ କଥାହେବା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅତ୍ୟାବଶ୍ୟକ ପଦକ୍ଷେପ ଏବଂ ଅଟକି ରହିଥିବା ଜଣସାଧାରଣଙ୍କ ନିମନ୍ତେ ଜରୁରୀ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବାତ୍ୟା ପରବର୍ତୀ ବନ୍ୟା ସ୍ଥିତି, ପୁନରୁଦ୍ଧାର ଓ ଥଇଥାନ ସଂପର୍କରେ ନିରନ୍ତର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା