
କେନ୍ଦ୍ରାପଡ଼ା, ୩୦ ଅକ୍ଟୋବର (ହି.ସ.)- ସ୍ଥାନୀୟ ଇଚ୍ଛାପୁର ଅଞ୍ଚଳରେ ଶୁକ୍ରବାର ପୂର୍ବାହ୍ନ ୧୨ଟା ସମୟରେ ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀ ପକ୍ଷରୁ ଏକ ନୂତନ ‘ଏଜେଣ୍ଟ ଏକ୍ସପ୍ରେସ ଡିଜିଟାଲ କର୍ନର’ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। କମ୍ପାନୀର ନିୟମ ଅନୁସାରେ ଏହି ଡିଜିଟାଲ ସେବା କେନ୍ଦ୍ର ପରିଚାଳନା ପାଇଁ ସ୍ଥାନୀୟ ଅଧିବାସୀ କମଳ ଲୋଚନ ଦାସଙ୍କୁ ମନୋନୀତ କରାଯାଇଛି। ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ସାଧାରଣ ଲୋକଙ୍କୁ ବୀମା ସମ୍ପର୍କିତ ସେବା ପାଇବା ନିମନ୍ତେ ଆଉ ବାରମ୍ବାର ଦୂରଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ। ଏହି ଡିଜିଟାଲ କର୍ନର ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ନିଜ ନିଜର ମୋଟରସାଇକେଲ, କାର, ବସ୍, ଟ୍ରକ୍ ଭଳି ସମସ୍ତ ଯାନବାହନ ବୀମା ସହିତ ବ୍ୟକ୍ତିଗତ ଦୁର୍ଘଟଣା ବୀମା (ପର୍ସନାଲ ଆକ୍ସିଡେଣ୍ଟ) ଏବଂ ସ୍ୱାସ୍ଥ୍ୟ ବୀମା (ହେଲଥ ଇନସୁରାନ୍ସ) ଭଳି ଗୁରୁତ୍ୱପୂର୍ଣ୍ଣ ସୁବିଧା ତୁରନ୍ତ ତଥା ସହଜରେ ପାଇପାରିବେ ବୋଲି ସୂଚନା ଦିଆଯାଇଛି। ଏହି ଉଦ୍ଘାଟନୀ ସମାରୋହରେ କମ୍ପାନୀର ଡେପୁଟି ଜେନେରାଲ ମ୍ୟାନେଜର ଯଦୁନାଥ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରିଜିଓନାଲ ମ୍ୟାନେଜର ମୀନାକ୍ଷୀ ବ୍ରହ୍ମା, ମ୍ୟାନେଜର ମାଥୁରାମ ହାଁସଦା, ଅମରେଶ ରାଉତ ଏବଂ କେନ୍ଦ୍ରାପଡ଼ା ଶାଖା ପରିଚାଳକ ତାପସ ରଞ୍ଜନ ରାଉତ ଉପସ୍ଥିତ ରହି ଡିଜିଟାଲ ବୀମା ବ୍ୟବସ୍ଥାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୌରପାଳିକାର ୧ ନମ୍ବର ୱାର୍ଡ କାଉନ୍ସିଲର ପୁଷ୍ପଲତା ବେହେରା, ୨ ନମ୍ବର ୱାର୍ଡ କାଉନ୍ସିଲର କାଳୀପ୍ରସାଦ ମିଶ୍ର ଏବଂ ଆଦର୍ଶ ସୋସାଇଟି, ହାଡ଼ିବନ୍ଧୁ ବିହାରର ପୂର୍ବତନ ସଭାପତି ବ୍ରଜକିଶୋର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ଓରିଏଣ୍ଟାଲ ଇନସୁରାନ୍ସର ବହୁ ଏଜେଣ୍ଟ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ସୁବାସ ମେକପ, ଅଞ୍ଜନ ପଣ୍ଡା, କମଳ ଲୋଚନ ଦାଶ (କାର୍ତ୍ତିକ ନନା) ମନୋରଞ୍ଜନ ମହାନ୍ତି ଏବଂ ଗଣେଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଙ୍କୁର ସ୍କୁଲଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭିଜିଲାନ୍ସ ସଚେତନତା ସପ୍ତାହ ଉପଲକ୍ଷେ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେତା ଓ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ନୂତନ ଡିଜିଟାଲ କେନ୍ଦ୍ର ସ୍ଥାପନ ଦ୍ୱାରା ଇଚ୍ଛାପୁର ତଥା ଏହାର ଆଖପାଖ ଅଞ୍ଚଳରେ ଡିଜିଟାଲ ସଚେତନତା ଏବଂ ସୁରକ୍ଷିତ ଆର୍ଥିକ ଭବିଷ୍ୟତ ପାଇଁ ବୀମା ସେବା ଆହୁରି ସୁଦୃଢ଼ ହେବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରବି