ବଦଳିଲେ ବିବାଦୀୟ ଉପଜିଲ୍ଲାପାଳ ଅରୁଣ ନାୟକ
କେନ୍ଦ୍ରାପଡ଼ା, ୩୦ ଅକ୍ଟୋବର (ହି.ସ.)- ଦୀର୍ଘ ଦିନ ଧରି ନିଜର ଏକଛତ୍ରବାଦୀ ଶାସନ, ମନମୁଖୀ କାର୍ଯ୍ୟକଳାପ ଓ ବିବାଦୀୟ ଆଚରଣ ପାଇଁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ାର ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ଶେଷରେ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କ ବଦଳି ଖବର ପ୍ରଚାରିତ ହେବା ପରେ ସମଗ୍ର କେନ୍ଦ୍ରା
ବଦଳିଲେ ବିବାଦୀୟ ଉପଜିଲ୍ଲାପାଳ ଅରୁଣ ନାୟକ


କେନ୍ଦ୍ରାପଡ଼ା, ୩୦ ଅକ୍ଟୋବର (ହି.ସ.)- ଦୀର୍ଘ ଦିନ ଧରି ନିଜର ଏକଛତ୍ରବାଦୀ ଶାସନ, ମନମୁଖୀ କାର୍ଯ୍ୟକଳାପ ଓ ବିବାଦୀୟ ଆଚରଣ ପାଇଁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ାର ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ଶେଷରେ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କ ବଦଳି ଖବର ପ୍ରଚାରିତ ହେବା ପରେ ସମଗ୍ର କେନ୍ଦ୍ରାପଡ଼ା ସହର ତଥା ଜିଲ୍ଲାବାସୀଙ୍କ ମଧ୍ୟରେ ଏକ ଆଶ୍ୱସ୍ତି ଓ ଉତ୍ସାହର ଲହରୀ ଖେଳିଯାଇଛି। ସରକାର କେବଳ ତାଙ୍କୁ ଜିଲ୍ଲାରୁ ହଟାଇ ନାହାନ୍ତି, ବରଂ ତାଙ୍କୁ ଏକ ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଖସାଇ ଦଣ୍ଡିତ କରିଥିବା ଚର୍ଚ୍ଚା ଜୋର ଧରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଉପଜିଲ୍ଲାପାଳ ଶ୍ରୀ ନାୟକଙ୍କୁ ପୁରୀ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ (ଏଡିଇଓ) ଭାବେ ବଦଳି କରାଯାଇଛି। ସାଧାରଣତଃ ଜଣେ ଉପଜିଲ୍ଲାପାଳଙ୍କ ପାଖରେ ବିଶାଳ ପ୍ରଶାସନିକ କ୍ଷମତା, ମାଜିଷ୍ଟ୍ରେଟ୍ ଦାୟିତ୍ୱ ଓ ତୃଣମୂଳ ସ୍ତରର ନିୟନ୍ତ୍ରଣ ରହିଥାଏ। ତେବେ ଉପଜିଲ୍ଲାପାଳ ପଦବୀ ତୁଳନାରେ ଏହି ନୂତନ ପଦବୀଟି ବହୁତ ନିମ୍ନ ମାନର ବୋଲି ବିଭିନ୍ନ ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି। ଏପରିକି ଏହା ଜଣେ ସାଧାରଣ କିରାଣୀ ପାହ୍ୟାର କାର୍ଯ୍ୟ ସହ ସମାନ ବୋଲି କେତେକ ବିଜେପି ନେତା ତୀବ୍ର କଟାକ୍ଷ କରିଛନ୍ତି। ସରକାର ତାଙ୍କୁ ପରୋକ୍ଷରେ ଡିମୋସନ ବା ପଦବୀ ଅବନତି କରି ଉପଯୁକ୍ତ ଶିକ୍ଷା ଦେଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଅରୁଣ ନାୟକ କେନ୍ଦ୍ରାପଡ଼ାରେ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ କ୍ରମାଗତ ଭାବେ ବିବାଦଘେରରେ ରହିଆସିଥିଲେ। ପ୍ରଶାସନିକ ସେବାର ମୌଳିକ ନୀତିନିୟମ, ଶିଷ୍ଟାଚାର ଓ ସାମ୍ବିଧାନିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ସେ ନିଜକୁ ଜଣେ ଚରମ ଏକଛତ୍ରବାଦୀ ବା 'ଡିକ୍ଟେଟର' ଭାବେ ଉପସ୍ଥାପିତ କରୁଥିଲେ। ଜନସାଧାରଣଙ୍କ ସେବା କରିବା ପାଇଁ ଲୋକଙ୍କ ଟିକସ ଅର୍ଥରୁ ଦରମା ନେଉଥିବା ବେଳେ, ସାଧାରଣ ଲୋକଙ୍କୁ ସେ 'ପୋକମାଛି' ଭଳି ତୁଚ୍ଛ ମନେକରୁଥିଲେ। ନ୍ୟାୟ ଓ ସହାୟତା ପାଇଁ କାର୍ଯ୍ୟାଳୟକୁ ଆସୁଥିବା ବୟସ୍କ ତଥା ବରିଷ୍ଠ ନାଗରିକମାନଙ୍କୁ ସେ ଚରମ ଦୁର୍ବ୍ୟବହାର କରି କାର୍ଯ୍ୟାଳୟରୁ ବାହାର କରିଦେଉଥିବା ନଜିର ରହିଛି। ସେହିପରି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧି ତଥା ସାମ୍ବାଦିକମାନଙ୍କ ସହ ସେ ଅତ୍ୟନ୍ତ ଅସୌଜନ୍ୟମୂଳକ ଆଚରଣ ପ୍ରଦର୍ଶନ କରୁଥିଲେ। ଏପରିକି ଆଇନଜ୍ଞ ତଥା କୋର୍ଟ କାର୍ଯ୍ୟ ସହ ଜଡ଼ିତ ଓକିଲମାନଙ୍କୁ ମଧ୍ୟ ସେ ଅପମାନିତ କରିବାକୁ ପଛାଇ ନଥିଲେ, ଯାହାକୁ ନେଇ କେନ୍ଦ୍ରାପଡ଼ା ଓକିଲ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଶାସନରେ ସ୍ୱଚ୍ଛତା ଓ ସମ୍ବେଦନଶୀଳତାର ଅଭାବ ସହ ବ୍ୟାପକ ଦୁର୍ନୀତିର ଅଭିଯୋଗ ତାଙ୍କ ବିରୋଧରେ ଉଠିଥିଲା। ତାଙ୍କର ଏହି ଅଶୋଭନୀୟ କାର୍ଯ୍ୟଶୈଳୀ ଓ ଜନବିରୋଧୀ ଆଚରଣ ସମ୍ପର୍କରେ ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ଗୋପନୀୟ ରିପୋର୍ଟ ପଠାଯାଇଥିଲା। ଗୁଇନ୍ଦା ରିପୋର୍ଟରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର ସତ୍ୟତା ପ୍ରମାଣିତ ହେବା ପରେ, ରାଜ୍ୟ ସରକାର ଶେଷରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ କେନ୍ଦ୍ରାପଡ଼ାର ସାଧାରଣ ଜନତା, ଆଇନଜୀବୀ ଏବଂ ସାମାଜିକ କର୍ମୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଜନପ୍ରତିନିଧି କିମ୍ବା ସରକାରୀ ଅଧିକାରୀ କେହି ହେଲେ ଆଇନ ଓ ଜନସାଧାରଣଙ୍କ ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ଏହି ଘଟଣାରୁ ପ୍ରମାଣିତ ହୋଇଛି। ଅରୁଣ ନାୟକଙ୍କ ଅପସାରଣ ସହ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପୁଣି ଥରେ ଏକ ଶାନ୍ତ, ସୁସ୍ଥ ଓ ଲୋକାଭିମୁଖୀ ପ୍ରଶାସନିକ ବାତାବରଣ ଫେରିଆସିବ ବୋଲି ସହରବାସୀ ଆଶା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande