
ଗଞ୍ଜାମ, ୩୦ ଅକ୍ଟୋବର (ହି.ସ.)- ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ସହରରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ(ବିଇଏମସି) ପକ୍ଷରୁ ବିଭିନ୍ନ ଅଞ୍ଚଳରେ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ୧୨ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସମୁଦାୟ ୭୧୨ଜଣଙ୍କୁ (୨୧୫ ପୁରୁଷ, ୩୫୨ମହିଳା ଏବଂ ୧୩୫ ଶିଶୁ) ସ୍ଥାନାନ୍ତର କରାଯାଇ ସେମାନଙ୍କ ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା। ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀଙ୍କ ସହାୟତାରେ ଅନସୂୟା ନଗରର ଏକ ବୃଦ୍ଧାଶ୍ରମରୁ ୧୨ ଜଣ ଅନ୍ତେବାସୀ, ସଦାନନ୍ଦ ବିହାରରୁ ଜଣେ ଗର୍ଭବତୀ ମହିଳା, କଳିଙ୍ଗ ବିହାରରୁ ଜଣେ ଏକାକିନୀ ମହିଳା ତଥା ରାଜୀବ ବିହାରରୁ ଏକ ବୃଦ୍ଧ ଦମ୍ପତିଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସଦାନନ୍ଦ ବିହାର ଏବଂ ଆଙ୍କୁଲି ବୈଷ୍ଣବ ନଗରଠାରେ ଜଳବନ୍ଦୀ ଥିବା ଲୋକଙ୍କ ପାଇଁ ମଧ୍ୟ ରିଲିଫ ସାମଗ୍ରୀ ପହଞ୍ଚାଇଥିଲେ ଓଡ୍ରାଫ ଟିମ୍ ।
ଜଳେଶ୍ୱର ବିହାର ଅଞ୍ଚଳ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଥିବା ବେଳେ ସେଠାରେ ନିଗମ ଅଧିକାରୀ, ଯନ୍ତ୍ରୀ ଏବଂ ଗୋଷାଣିନୂଆଗାଁ ପୋଲିସ ପହଞ୍ଚି ଜବରଦଖଲ ହଟାଇବା ସହ ଜଳ ନିଷ୍କାସନକୁ ସ୍ୱାଭାବିକ କରାଇଥିଲେ। ସେସପୁଲ ଜରିଆରେ ଗଜପତି ନଗର, ରଘୁପତି ନଗର, ଶାନ୍ତି ନଗର, କୃଷ୍ଣନଗର ମୁନିସିପାଲିଟି କଲୋନୀ, କଳିଙ୍ଗ ନଗର, ଅନ୍ଧପସରା ରୋଡ, ନେହେରୁ ନଗର, ଗାନ୍ଧୀ ନଗର, ସୁବୁଦ୍ଧି କଲୋନୀ, ବ୍ରହ୍ମାନଗର, ଜ୍ୟୋତି ନଗର, ଗୋଷାଣିନୂଆଁଗାଁ ଚଣ୍ଡୀମନ୍ଦିର ସାହି, ଅଶୋକ ନଗର ଆଦି ଅଞ୍ଚଳର ରାସ୍ତା ଏବଂ ଘରମାନଙ୍କରୁ ନିଗମ ଦ୍ୱାରା ବର୍ଷାଜଳ ନିଷ୍କାସନ କରାଯାଇଥିଲା। ସେହିପରି ପମ୍ପ ଜରିଆରେ ଫାଷ୍ଟଗେଟ ଶ୍ରମିକ ସ୍କୁଲ, ବିଦ୍ୟୁତପୁରୀ କଲୋନୀ, ଲାଞ୍ଜିପଲ୍ଲୀ, ଗଜପତି ନଗର ଇତ୍ୟାଦି ଅଞ୍ଚଳରେ ଜଳ ନିଷ୍କାସିତ ହୋଇଥିଲା।
ଅନୁରୂପ ଭାବେ ଉଭୟ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ତତ୍ପରତାର ସହ ବର୍ଷା ପବନରେ ଉପୁଡିଯାଇଥିବା ଗଛଗୁଡିକୁ କଟାଯାଇଥିଲା। ନିଗମ କାର୍ଯ୍ୟାଳୟର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମରେ ଗୁରୁବାର ପ୍ରାପ୍ତ ସମୁଦାୟ ୧୩୬ଟି ଅଭିଯୋଗ ମଧ୍ୟରୁ ୧୩୧ଟି ଅଭିଯୋଗ କେବଳ ବର୍ଷାଜଳ ନିଷ୍କାସନ ସମ୍ପର୍କିତ ଥିବାବେଳେ ନିଗମ ପକ୍ଷରୁ ତ୍ୱରିତ ସମାଧାନ ପାଇଁ ଯଥାସାଧ୍ୟ ଉଦ୍ୟମ କରାଯାଇଥିଲା। ଗୁରୁବାର ସନ୍ଧ୍ୟା ସୁଦ୍ଧା ବର୍ଷା ଏବଂ ପବନର ପ୍ରକୋପ କମିଥିଲେ ମଧ୍ୟ ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମର କଣ୍ଟ୍ରୋଲ ରୁମ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକୁ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରଖିବାକୁ କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ