
- ଡ଼ଃ ହୋମି ଜାହାଙ୍ଗୀର ଭାଭାଙ୍କ ସ୍ମୃତିରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାଖ୍ୟାନ ଆୟୋଜିତ
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.) ଭାରତର ପରମାଣୁ କାର୍ଯ୍ୟକ୍ରମର ଜନକ ଡ଼ଃ ହୋମି ଜାହାଙ୍ଗୀର ଭାଭାଙ୍କ 117 ତମ ଜୟନ୍ତୀ ଉପଲକ୍ଷେ ଭାରତୀୟ ପଦାର୍ଥ ବିଜ୍ଞାନ ସଂଘ, ଓଡିଶା ଶାଖା ଓ ସ୍ନାତକୋତ୍ତର ପରିଷଦ ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସ୍ନାତକୋତ୍ତର ପରିଷଦ ସଭାଗୃହରେ ଏକ ସ୍ମାରକୀ ବ୍ୟାଖ୍ୟାନ ଅନୁଷ୍ଠିତ ହୋଇଯାଇଛି।
ବିଶ୍ୱ ବିଦ୍ୟାଳୟ କୁଳପତି ତଥା ଅନ୍ତଃରାଷ୍ଟୀୟ ଖ୍ୟାତି ସମ୍ପନ୍ନ ଐତିହାସିକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ବକ୍ତବ୍ୟ ପ୍ରଦାନ ପୂର୍ବକ ବିଶିଷ୍ଟ ଶିକ୍ଷାବିତ ଓ ସୁନାମଧନ୍ୟ ବରିଷ୍ଠ ଗବେଷକ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଯଜ୍ଞେଶ୍ଵର ଦଣ୍ଡପାଟ ସ୍ୱାଗତ ବକ୍ତବ୍ୟ ପ୍ରଦାନ ପୂର୍ବକ ଡ଼ଃ ଭାଭାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ବ୍ରହ୍ମାଣ୍ଡ ବିଜ୍ଞାନୀ ଉତ୍କଳ ବିଶ୍ୱବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼ଃ ଲମ୍ବୋଦର ପ୍ରସାଦ ସିଂହ ତୁଳସୀ ଦୁଇ ପତ୍ରରୁ ବାସିବା ପରି ଭାଭାଙ୍କ ପ୍ରତିଭା ବାଲ୍ୟକାଳରୁ କିପରି ଜଣା ପଡିଥିଲା ଜଣାଇଥିଲେ। ଜଣେ ଯୁଗଦ୍ରଷ୍ଟା ବୈଜ୍ଞାନିକ ଭାବେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗବେଷଣା ସମୟରେ ମ୍ୟୁୟନ କଣିକାର ଆବିଷ୍କାର, ମହାଜାଗତିକ ବିକିରଣ ସବୁର କାଶକାଡେ ବିଛୁରଣ ଆବିଷ୍କାର, ଭାଭା ବିଛୁରଣ ପ୍ରଭୃତି ତାଙ୍କ କାଳଜୟୀ ଗବେଷଣାର ସ୍ଵାକ୍ଷର ବହନ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଡ଼ଃ ଲମ୍ବୋଦର ପ୍ରସାଦ ସିଂହ ଭାଭାଙ୍କୁ ଆତ୍ମନିର୍ଭରଶୀଳ ଭାରତର ବିଭବ ଭାବେ ଚିତ୍ରିତ କରି ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନ (ଟି. ଆଇ. ଏଫ. ଆର.), ଭାଭା ଆଣବିକ ଗବେଷଣା କେନ୍ଦ୍ର (ବି. ଏ. ଆର. ସି.) ପ୍ରତିଷ୍ଠା ପୂର୍ବକ ନ୍ୟୁକ୍ଲିୟ ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଭାଭାଙ୍କ ପ୍ରଚେଷ୍ଟାର ବିହଙ୍ଗାବଲୋକନ କରିଥିଲେ। ସେ କହିଥିଲେ ବାସ୍ତବରେ ସାର ଚନ୍ଦ୍ରଶେଖର ଭେଙ୍କଟରମଣ ଭାଭାଙ୍କ ବିଷୟରେ ଯାହା କହି ଥିଲେ ତାହା ଧୃବସତ୍ୟ - ଭାଭା ଥିଲେ ଏକାଧାରାରେ ଜଣେ ସଂଗୀତ ପ୍ରେମୀ, ପ୍ରକୃତି ପୂଜକ, ପ୍ରତିଭାଶାଳୀ ଚିତ୍ରକର ଓ ଅସାମାନ୍ୟ ବୈଜ୍ଞାନିକ। ଆଣବିକ ଶକ୍ତିକୁ ଲୋକ କଲ୍ୟାଣ ପାଇଁ ବ୍ୟବହାର କରିବା ଲକ୍ଷ୍ୟରେ ଜେନେଭା ଠାରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ, ଭାରତର ଆଣବିକ ଶକ୍ତି ଆୟୋଗର ପ୍ରଥମ ସଦସ୍ୟ ସଚିବ ଡ଼ଃ ହୋମି ଭାଭା। ସେ ଥିଲେ ଭାରତର ପରମାଣବିକ କାର୍ଯ୍ୟକ୍ରମ, ଆନ୍ତରୀକ୍ଷ ପ୍ରକଳ୍ପ, ଇଲେକ୍ଟ୍ରୋନିକ୍ସ ମିଶନର ପ୍ରାଣ ପ୍ରତିଷ୍ଠାତା। ଭାରତର ବିଜ୍ଞାନକୁ ନେତୃତ୍ୱ ଦେଉଥିବା ପଦ୍ମ ଭୂଷଣ ଡ଼ଃ ଭାଭା ଓ ଦେଶକୁ ନେତୃତ୍ୱ ଦେଉଥିବା ସର୍ବକାଳୀନ ମହାନ ରାଷ୍ଟ୍ରନାୟକ ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀ ଆଗପଛ ହୋଇ ବିମାନ ଦୁର୍ଘଟଣାରେ ଚାଲିଯିବା ସ୍ୱାଧୀନୋତ୍ତର ଭାରତର ଇତିହାସର ଅନ୍ୟତମ ଦୁଃଖଦ ଦୁର୍ଘଟଣା ବୋଲି ଡ଼ଃ ସିଂହ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭାରତ ସରକାରଙ୍କ ପାରାମାଣବିକ ଶକ୍ତି ବିଭାଗର ଅନ୍ୟତମ ଶେଷ୍ଠ ସଂସ୍ଥାନ, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ର ନିର୍ଦେଶକ ଓ ସ୍ବିଜ଼ରଲାଣ୍ଡ ସ୍ଥିତ ସର୍ଣ ର ପ୍ରାକ୍ତନ ଯୁଗ୍ମ ମୁଖପାତ୍ର ଅନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ଓ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ବେଦାଙ୍ଗ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭାଭାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଡ଼ଃ ହୋମି ଜାହାଙ୍ଗିର ଭାଭାଙ୍କୁ ପରମାଣବିକ ଶକ୍ତିର ଶାନ୍ତିପ୍ରିୟ ବିନିଯୋଗ ପ୍ରୟାସର ମହାନ ଓ ପ୍ରଥମ ଅନ୍ତର୍ଜାତୀକ ସାର୍ଥକ ଅଧିବକ୍ତା ଭାବେ ଦର୍ଶାଇଥିଲେ। ସେ ଭାରତର ପରମାଣବିକ କାର୍ଯ୍ୟକ୍ରମ କିପରି ଚିକିତ୍ସାବିଜ୍ଞାନରେ ଉପଯୋଗ ପୂର୍ବକ ନ୍ୟୁକ୍ଳିଅର ମେଡ଼ିସିନ, କର୍କଟ ରୋଗ ନିଦାନ, ପଦାର୍ଥ ଚିହ୍ନଟରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି ବୁଝାଇଥିଲେ। ଓଡିଶା ସ୍ଥିତ ନାଇଜରର ସାଇକ୍ଲୋଟ୍ରୋନ ଅତିଶୀଘ୍ର ଲୋକାର୍ପିତ ହୋଇ ଲୋକ କଲ୍ୟାଣରେ ଲାଗିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଭାଭାଙ୍କ ସ୍ବପ୍ନର ଭାରତୀୟ ପରମାଣବିକ କାର୍ଯ୍ୟକ୍ରମ ଆଜି ବିଦ୍ୟୁତ ଶକ୍ତି ଉତ୍ପାଦନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ଖାଦ୍ୟ ସଂରକ୍ଷଣ, ରାଷ୍ଟ୍ରୀୟ ସୁରକ୍ଷା ସୁନିଶ୍ଚିତ କରୁଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଭାରତୀୟ ପଦାର୍ଥ ବିଜ୍ଞାନ ସଂଘ (ଆଇ. ଏ. ପି. ଟି., ଆର. ସି. -16) ର ସଭାପତି ପ୍ରଫେସର ରିତା ପାଇକରାୟଙ୍କ ସଂରକ୍ଷଣ ଓ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଗବେଷକ ଡ଼ଃ ଶ୍ରୀରୂପ ଗୋସ୍ୱାମୀ ଓ ସଂଘର ସମ୍ପାଦକ ଡ଼ଃ ଗୌରୀଶଙ୍କର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ପଦାର୍ଥ ବିଜ୍ଞାନ ସଂଘ) ଓଡିଶାର କୋଷାଧକ୍ଷ ଡ଼ଃ ସଞ୍ଜୟ କୁମାର ସୁଆର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ସେଲର ନିର୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ଡ଼ଃ ଅରୁନ୍ଧତୀ ମିଶ୍ର, ଡ଼ଃ ଶାନ୍ତି ସ୍ୱରୂପ ସାହୁ, ଡ଼ଃ ସ୍ନିଗ୍ଧା ଦାଶ, ଡ଼ଃ ଅଜୟ କୁମାର ବେହେରା, ଡ଼ଃ ସୁଶାନ୍ତ ବଡ଼ମାଳୀ, ଡ଼ଃ ଶେସାଂଶୁ ପାଲ, ଡ଼ଃ ହିମାଦ୍ରୀ ତନୟା, ଡ଼ଃ ଚିନ୍ମୟ ରଞ୍ଜନ, ଅଧ୍ୟାପକ ମନୋରଞ୍ଜନ ମହାନ୍ତି, ୟଶ ଶର୍ମା, ସୌଭାଗ୍ୟ ସ୍ୱାଇଁ, ଲୋକ ସମ୍ପର୍କ ଅଧିକାରୀ ଶ୍ରୀମାନ ବିକାଶ କୁମାର ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ