
ଝାରସୁଗୁଡା, ୩୦ ଅକ୍ଟୋବର (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଲଖନପୁର ବ୍ଲକ କୃଷି କାର୍ଯ୍ୟାଳୟରେ ଅଚାନକ ପହଞ୍ଚି କାର୍ଯ୍ୟାଳୟର ସାମଗ୍ରିକ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଗସ୍ତ କାଳରେ ଜିଲ୍ଲାପାଳ ନୂତନ ଭାବେ ନିର୍ମାଣାଧୀନ ବ୍ଲକ କୃଷି କାର୍ଯ୍ୟାଳୟ କୋଠାର କାର୍ଯ୍ୟ ଅଗ୍ରଗତି ତଥା ବର୍ତ୍ତମାନର ସ୍ଥିତି ସମ୍ପର୍କରେ ତଦାରଖ କରିଥିଲେ। ସରକାରୀ ଯୋଜନା ଯେପରି ଚାଷୀଙ୍କ ପାଖରେ ସଠିକ୍ ଭାବେ ପହଞ୍ଚିପାରିବ, ସେଥିପାଇଁ କାର୍ଯ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏଥିସହିତ, କ୍ଷେତ୍ରସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ନିଜ ନିଜ ମୁଖ୍ୟାଳୟରେ ରହୁଛନ୍ତି କି ନାହିଁ, ସେ ନେଇ ଜିଲ୍ଲାପାଳ ବିଶେଷ ଭାବେ ଅନୁସନ୍ଧାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଲଖନପୁର ସହକାରୀ କୃଷି ଅଧିକାରୀ ସୀମା ଟେଟେ, ଭିକମପାଲି ସହକାରୀ କୃଷି ଅଧିକାରୀ ଅଙ୍କିତ କୁମାର ନାଏକ, ଲଖନପୁର ଏ.ଟି.ଏମ୍ ନୀତିକେଶ ମହାପାତ୍ର ଏବଂ ଶ୍ରୀ ଅନ୍ନ ଅଭିଯାନର ବି.ପି.ସି ଥୋମାସ ମାଝୀ ପ୍ରମୁଖଙ୍କ କାର୍ଯ୍ୟାଳୟ ଉପସ୍ଥିତି ତଥା କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। କୃଷକମାନଙ୍କ ହିତ ପାଇଁ ସମସ୍ତ କ୍ଷେତ୍ର କର୍ମଚାରୀ ମୁଖ୍ୟାଳୟରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ