
ଝାରସୁଗୁଡା, ୩୦ ଅକ୍ଟୋବର (ହି.ସ.) - ଲଖନପୁର ବ୍ଲକ ଗୋବିନ୍ଦପୁର ସ୍ଥିତ ଗୋ-ସେବା ଧାମ' ଗୋଶାଳା ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ। ଏହି ପରିଦର୍ଶନ ସମୟରେ ତହସିଲଦାର ପ୍ରସନ୍ନ କୁମାର ପଟେଲ, ରାଜସ୍ୱ ପରିଦର୍ଶକ ଓ ଗୋବିନ୍ଦପୁର ଆର.ଆଇ. ଉପସ୍ଥିତ ଥିଲେ। ଗୋଶାଳା ପରିଚାଳନା କମିଟି ଟ୍ରଷ୍ଟ ସଦସ୍ୟମାନଙ୍କ ସହ ଆଲୋଚନା ବେଳେ ଜଣାପଡ଼ିଛି ଯେ ୨୦୧୬ ମସିହାରୁ ଚାଲୁଥିବା ଏହି ଗୋଶାଳାରେ ବର୍ତମାନ କନକତୋରାଠାରୁ କୁଡ଼ାଓଇ ମଧ୍ୟରୁ ଉଦ୍ଧାର କରାଯାଇଥିବା ପ୍ରାୟ ୭୦୭ଟି ଗାଈ ରହିଛନ୍ତି। ପୂର୍ବରୁ ସରକାରୀ ସହାୟତା ବାବଦରେ ୩୧ ଲକ୍ଷ ଟଙ୍କା ମିଳିଥିଲେ ସୁଦ୍ଧା ବର୍ତମାନ ଏହା ସାଧାରଣ ଲୋକଙ୍କ ଦାନ ଉପରେ ଚାଲିଛି ଏବଂ ସମ୍ବଳର ଅଭାବ ରହିଛି ବୋଲି ଟ୍ରଷ୍ଟିମାନେ ଜଣାଇଥିଲେ। ଗୋଶାଳାର ଜମି ଗୋଚର କିସମର ଥିବାରୁ ୩ ଏକର ୩୫ ଡେସିମିଲ ପାଇଁ ଲିଜ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ତହସିଲଦାର ସୂଚନା ଦେଇଥିଲେ। ଡିସି ମ୍ୟୁଟେସନ ମାଧ୍ୟମରେ ବ୍ୟକ୍ତିଗତ ଭାବେ କେତେ ସରକାରୀ ଜମି ପ୍ରଦାନ କରାଯାଇଛି ତାହାର ଯାଂଚ କରିବାକୁ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଗୋଖାଦ୍ୟ ସଂରକ୍ଷଣ ଶେଡ୍ ନିର୍ମାଣ ପାଇଁ ପାଣ୍ଠି ଯୋଗାଇବାକୁ ଟ୍ରଷ୍ଟିମାନଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ