ବ୍ରଜରାଜନଗର ଟ୍ରକ୍ ପାର୍କିଂ ଟର୍ମିନାଲ ପରିଦର୍ଶନ କଲେ ଜିଲ୍ଲାପାଳ : ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ପାର୍କିଂ ଶୁଳ୍କ କୋହଳ : ଆର.ଟି.ଓ.ଙ୍କ ସୂଚନା
Collector visit Brajrajnagar truck terminal
ବ୍ରଜରାଜନଗର ଟ୍ରକ୍ ପାର୍କିଂ ଟର୍ମିନାଲ ପରିଦର୍ଶନ କଲେ ଜିଲ୍ଲାପାଳ


ଝାରସୁଗୁଡା, ୩୦ ଅକ୍ଟୋବର (ହି.ସ.)- ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବ୍ରଜରାଜନଗରସ୍ଥିତ ଟ୍ରକ୍ ପାର୍କିଂ ଟର୍ମିନାଲ ପରିଦର୍ଶନ କରି ସେଠାକାର ବ୍ୟବସ୍ଥା ଓ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଏହି ଟ୍ରକ୍ ଟର୍ମିନାଲଟି ବ୍ରଜରାଜନଗର ଟ୍ରକ୍ ଆସୋସିଏସନ ଦ୍ୱାରା ପରିଚାଳିତ ହେଉଛି। ପୂର୍ବରୁ ଅଧିକ ପାର୍କିଂ ଶୁଳ୍କ ଥିବା ଯୋଗୁଁ ବହୁତ କମ୍ ସଂଖ୍ୟକ ଗାଡ଼ି ଏହି ଟର୍ମିନାଲରେ ରହୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ଓ ପରାମର୍ଶ କ୍ରମେ ଏହି ଶୁଳ୍କକୁ ହ୍ରାସ କରାଯାଇ ଏକ ସର୍ବନିମ୍ନ ନାମମାତ୍ର ଧାର୍ଯ୍ୟ କରାଯାଇଛି। ଏହି ନିଷ୍ପତ୍ତି ଫଳରେ ଟ୍ରକ୍ ମାଲିକମାନେ ବିଶେଷ ଭାବେ ଉପକୃତ ହେବେ ଏବଂ ବହୁ ସଂଖ୍ୟାରେ ଟ୍ରକ୍ ଏହି ଟର୍ମିନାଲରେ ପାର୍କିଂ ହୋଇପାରିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଗୌରହରି ହାଁସଦା ସୂଚନା ଦେଇଛନ୍ତି।

ଟ୍ରକ୍ ଗୁଡ଼ିକ ଟର୍ମିନାଲରେ ରହିବା ଦ୍ୱାରା ରାସ୍ତାକଡ଼ରେ ବେଆଇନ ପାର୍କିଂ ବନ୍ଦ ହେବ, ଯାହାଫଳରେ ଟ୍ରାଫିକ ଜାମ୍ ସମସ୍ୟା ଦୂର ହେବା ସହିତ ଦୁର୍ଘଟଣା ହାର ଯଥେଷ୍ଟ କମିବ। ଆଗାମୀ ଦିନରେ ବ୍ରଜରାଜନଗର ଅଞ୍ଚଳରେ ଯାନବାହନ ଚଳାଚଳ ସ୍ୱାଭାବିକ ତଥା ସୁଗମ ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande