
ଝାରସୁଗୁଡ଼ା, ୩୦ ଅକ୍ଟୋବର (ହି.ସ.)- ଅଦିନିଆ ବର୍ଷାରେ ଭିଜିଛି ସମଗ୍ର ଝାରସୁଗୁଡ଼ା ଜିଲ୍ଲା। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ବର୍ଷା ହୋଇଥିବା ବେଳେ ଚାଷୀଙ୍କ ଚିନ୍ତା ବଢ଼ିଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବର ୩୦ ତାରିଖରେ ଜିଲ୍ଲାରେ ମୋଟ ୧୫୦.୨ ମିଲିମିଟର ବୃଷ୍ଟିପାତ ରେକର୍ଡ ହୋଇଛି। ଏହାର ହାରାହାରି ପରିମାଣ ୩୦.୦୪ ମିଲିମିଟର ରହିଛି।
ବ୍ଲକ୍ୱାରୀ ବୃଷ୍ଟିପାତ ତଥ୍ୟ ଅନୁସାରେ, ଝାରସୁଗୁଡ଼ା ବ୍ଲକ୍ ରେ ୨୬.୧ ମିଲିମିଟର, କୋଲାବିରାରେ ୨୭.୨ ମିଲିମିଟର, ଲଇକେରାରେ ୩୫.୧ ମିଲିମିଟର, କିର୍ମିରାରେ ୩୧ ମିଲିମିଟର ଏବଂ ଲଖନପୁର ବ୍ଲକ୍ ରେ ୩୦.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତଥ୍ୟ ଅନୁଯାୟୀ, ଲଇକେରା ବ୍ଲକ୍ ରେ ସର୍ବାଧିକ ୩୫.୧ ମିଲିମିଟର ବୃଷ୍ଟିପାତ ହୋଇଥିବା ବେଳେ ଝାରସୁଗୁଡ଼ା ବ୍ଲକ୍ ରେ ସର୍ବନିମ୍ନ ୨୬.୧ ମିଲିମିଟର ବର୍ଷା ହୋଇଛି।
ଅନ୍ୟପକ୍ଷରେ, ଏହି ଅଦିନିଆ ବର୍ଷା ଜିଲ୍ଲାର ଚାଷୀକୁଳ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷକରି ଅମଳ ସମୟରେ ହୋଇଥିବା ବର୍ଷା ଯୋଗୁଁ ଧାନ ଫସଲ ଓ ଖୋଲାରେ ରଖାଯାଇଥିବା ଧାନ ଉପରେ କ୍ଷତିର ଆଶଙ୍କା ଦେଖାଦେଇଛି। ବର୍ଷା ଯୋଗୁଁ ଫସଲର କ୍ଷୟକ୍ଷତି ହୋଇଥିବା ନେଇ ବିଭିନ୍ନ ଅଞ୍ଚଳରୁ ଖବର ମିଳୁଥିବା ବେଳେ ପ୍ରଭାବିତ ଚାଷୀମାନେ କ୍ଷୟକ୍ଷତିର ଆକଳନ କରି ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଆର୍ଥିକ କ୍ଷତି ଆଶଙ୍କା ବଢ଼ିଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷେତ୍ରସ୍ତରରେ କ୍ଷୟକ୍ଷତିର ଆକଳନ କରାଯାଇ ପ୍ରଭାବିତ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ