
କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.) ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଓଡ଼ିଆ ଭାଷାରେ ନଥିପତ୍ର ପ୍ରସ୍ତୁତି, ଚିଠିପତ୍ର ଲେଖନ ଓ ଦୈନନ୍ଦିନ ଦପ୍ତରୀ କାର୍ଯ୍ୟର ସୁଚାରୁ ସମ୍ପାଦନ ନିମନ୍ତେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦକ୍ଷ କରିବା ଉଦ୍ଦେଶ୍ୟରେ କେନ୍ଦୁଝରଠାରେ ଏକ ଓଡ଼ିଆ ଭାଷା ବ୍ୟବହାର ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ, କେନ୍ଦୁଝରର ସହଯୋଗରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ। ପ୍ରଶିକ୍ଷଣ ଅବସରରେ ସରକାରୀ ଚିଠିପତ୍ର ପ୍ରସ୍ତୁତି, ନଥି ଉପସ୍ଥାପନ ଓ ଲେଖନ ଶୈଳୀ, ଶବ୍ଦ ପ୍ରୟୋଗ ଏବଂ ଦପ୍ତରୀ କାର୍ଯ୍ୟରେ ଓଡ଼ିଆ ଭାଷାର ଶୁଦ୍ଧ ଓ ସଠିକ୍ ବ୍ୟବହାର ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରାଯାଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ନିଜ ବକ୍ତବ୍ୟରେ କହିଥିଲେ ଯେ, ସରକାରୀ କାର୍ଯ୍ୟାଳୟରେ ମାତୃଭାଷା ଓଡ଼ିଆର ବ୍ୟାପକ ବ୍ୟବହାର ଦ୍ୱାରା ପ୍ରଶାସନିକ କାର୍ଯ୍ୟ ଅଧିକ ସ୍ୱଚ୍ଛ, ସରଳ ଓ ଲୋକାଭିମୁଖୀ ହୋଇପାରିବ। ଏହାଦ୍ୱାରା ସାଧାରଣ ଲୋକେ ସରକାରୀ ନିୟମ, ନିର୍ଦ୍ଦେଶ ଓ ସେବା ସମ୍ପର୍କରେ ସହଜରେ ବୁଝିପାରିବେ। ତେଣୁ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଆନ୍ତରିକତାର ସହ ନିଜ ଦପ୍ତରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଗୁରୁତ୍ୱ ଦେବା ଆବଶ୍ୟକ।
ପ୍ରଶିକ୍ଷଣ ଶିବିରରେ ଡ. ମନୋରଞ୍ଜନ ପାଣିଗ୍ରାହୀ, ପ୍ରାକ୍ତନ ଅଧିକାରୀ ତଥା ଓଡ଼ିଆ ଭାଷା ପ୍ରଶିକ୍ଷକ, ଡ. ରମେଶ ଚନ୍ଦ୍ର ମଲ୍ଲିକ, ଓଡ଼ିଆ ବିଭାଗ ମୁଖ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଡ. ସିଦ୍ଧାନ୍ତ ପାଢ଼ୀ, ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେମାନେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ଶୁଦ୍ଧତା, ସଠିକତା ଓ ବ୍ୟବହାରିକ ଦିଗ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇବା ସହ ଅଧିକାରୀ ଓ କର୍ମଚାରୀମାନଙ୍କୁ ଓଡ଼ିଆ ଭାଷାରେ ଦପ୍ତରୀ କାର୍ଯ୍ୟ ସମ୍ପାଦନ ପାଇଁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ସୁଚାରୁ ରୂପେ ସଂଯୋଜନା କରିଥିଲେ। ଏଥିରେ ପର୍ଯ୍ୟଟନ ବିଭାଗର କନିଷ୍ଠ ସହାୟକ ବିକ୍ରମ କେଶରୀ ପାତ୍ର ଏବଂ ଜିଲ୍ଲା ସଂସ୍କୃତି ପରିଷଦର କନିଷ୍ଠ ସହାୟକ ସନ୍ଦୀପ କୁମାର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସରକାରୀ କାର୍ଯ୍ୟରେ ମାତୃଭାଷାର ବ୍ୟବହାରକୁ ଅଧିକ ସୁଦୃଢ଼ କରିବା ସହ ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ଭାଷାଗତ ଦୂରତା ଦୂର କରିବା ଦିଗରେ ଏହି ପ୍ରଶିକ୍ଷଣ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA