ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିଅନର ନୂତନ ଟିମ୍ ଗଠିତ : ଭୂପାଳ ବେହେରା ସଭାପତି, ବିଜୟ ବରାଡ ସାଧାରଣ ସମ୍ପାଦକ
JHS-Dist-OUJ-team-formed
ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିଅନର ନୂତନ ଟିମ୍ ଗଠିତ


ଝାରସୁଗୁଡ଼ା, ୩୦ ଅକ୍ଟୋବର (ହି.ସ.)- ଓଡ଼ିଶା ୟୁନିଅନ ଅଫ୍ ଜର୍ନାଲିଷ୍ଟ (ଓୟୁଜେ) ଦ୍ୱାରା ଅନୁବନ୍ଧିତ ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିଅନର ଦ୍ୱିବାର୍ଷିକ ସମ୍ମିଳନୀ ଓ ନୂତନ କମିଟି ଗଠନ କାର୍ଯ୍ୟକ୍ରମ ସ୍ଥାନୀୟ ହକି ଷ୍ଟାଡିୟମ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଉପନ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ହକି ସଂଘର ଉପସଭାପତି ଜୀବନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟ ସାମ୍ବାଦିକ ୟୁନିଅନର ସାଂଗଠନିକ ସମ୍ପାଦକ ସୁକାନ୍ତ ସାହୁ ଓ ଜିଲ୍ଲା ସଂଘର ପୂର୍ବତନ ସଭାପତି ତ୍ରିଲୋଚନ ଦାଶ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ମିଳନୀରେ ସାଧାରଣ ସମ୍ପାଦକ ଭରତ ପାତ୍ର ପୂର୍ବ କାର୍ଯ୍ୟକାଳର ବିବରଣୀ ପାଠ କରିଥିଲେ। ସଂଘର ଏକତା, ଶୃଙ୍ଖଳା ଓ ସାଂଗଠନିକ ଦୃଢ଼ତା ବଜାୟ ରଖିବା ସହ ଜଣେ ଦାୟିତ୍ୱସମ୍ପନ୍ନ ସଦସ୍ୟ ଭାବେ କାର୍ଯ୍ୟ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ମାର୍ଗଦର୍ଶନରେ ସଂଘର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ଆସନ୍ତା ଦୁଇବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ପୂର୍ବତନ ସଭାପତି ତ୍ରିଲୋଚନ ଦାଶ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସର୍ବସମ୍ମତିକ୍ରମେ ବରିଷ୍ଠ ସାମ୍ବାଦିକ ଭୂପାଳ ଚନ୍ଦ୍ର ବେହେରା ସଭାପତି ଏବଂ ବିଜୟ ବରାଡ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। ନୂତନ କମିଟିରେ ପ୍ୟାରେଲାଲ ଶ୍ରୀବାସ୍ତବ ଓ ବିଜୟ ସାହୁ ଉପସଭାପତି, କୁଞ୍ଜବିହାରୀ ପଟେଲ ଓ ଦେବୁନ ବକ୍ସି ସହସମ୍ପାଦକ ଏବଂ ଡିଲେଶ୍ୱର ବାଗ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସଞ୍ଜୟ ବାହୁବଲେନ୍ଦ୍ର, ରବି ସାହୁ, ଅଜୟ ଶର୍ମା, ଦେବେନ୍ଦ୍ର ବେହେରା, ଆକୁଳି ବେହେରା, ମନୋଜ ସାହୁ ଓ ଆଶ୍ରିତ ସାହୁ ମନୋନୀତ ହୋଇଛନ୍ତି। ଉପଦେଷ୍ଟା ମଣ୍ଡଳୀରେ ଜୀବନ ମହାନ୍ତି, ଉପନ ଚରଣ ସାହୁ, ରିତେଶ ଶର୍ମା, ଭରତ ପାତ୍ର, ଶେଖର ବିଶି, କୀର୍ତ୍ତି ଚନ୍ଦ୍ର ବହିଦାର, ମହେନ୍ଦ୍ର ସାଏ, ସଞ୍ଜୟ ପାଣିଗ୍ରାହୀ, ଆର୍ତ୍ତତ୍ରାଣ ସାହୁ, ପ୍ରଶାନ୍ତ ମହାନ୍ତି, ବସନ୍ତ ଜେନା, ଭାଗିରଥୀ ସାହୁ, ବନବାସୀ ଗୌଡ଼, ସୁରେଶ ତ୍ରିପାଠୀ ଓ ଭୁବନ କିଶୋର ତିୱାରୀଙ୍କୁ ମନୋନୀତ କରାଯାଇଛି।

ସମ୍ମିଳନୀରେ ସମୀର ପଟେଲ, ପ୍ରକାଶ ପଧାନ, ବିରଞ୍ଚି ସ୍ୱାଇଁ, ନୀଳାମ୍ବର ସାହୁଙ୍କ ସମେତ ସଂଘର ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ। ନୂତନ କମିଟି ସାମ୍ବାଦିକଙ୍କ ସ୍ୱାର୍ଥରକ୍ଷା, ସଂଘର ସଂଗଠନକୁ ସୁଦୃଢ଼ କରିବା ଓ ସାମ୍ବାଦିକ ଏକତା ବଜାୟ ରଖିବା ଦିଗରେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande