
ଖୋର୍ଦ୍ଧା, 30 ଅକ୍ଟୋବର (ହି.ସ.) ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ l ନିଜ ଅଭି ଭାଷଣରେ ମୁଖ୍ୟ ଅତିଥି କହିଲେ ଓଡ଼ିଶା ତଥା ଭାରତର ସଂସ୍କୃତି ସମଗ୍ର ବିଶ୍ୱରେ ଅତି ମହାନ l ଆମେ ସମସ୍ତେ ଏକାଠି ହୋଇ ଆମର ଭବ୍ୟ ଗାରିମା ମୟ ସଂସ୍କୃତି କୁ ଅଧିକରୁ ଅଧିକ ସ୍ୱଚ୍ଛତା ବଜାୟ ରଖି ଏକ ସମୃଦ୍ଧ ଓଡିଶା ଓ ଭାରତ ଗଢିବାକୁ ସମସ୍ତେ ଆଗେଇ ଆସନ୍ତୁ ବୋଲି ଆହ୍ଵାନ ଦେଇଥିଲେ l ମୁଖ୍ୟ ଅତିଥି ଆହୁରି କହିଥିଲେ ବୌଦ୍ଧ, ଜୈନ୍ୟ, ଇସଲାମ,ହିନ୍ଦୁ ସମସ୍ତ ଧର୍ମ ଗ୍ରନ୍ଥରେ ଲୋଭ, ମୋହ,ମାୟା ର ଉର୍ଦ୍ଧରେ ରହି ସତ୍ୟ, ସେବା, ମାଧ୍ୟମରେ ରାଷ୍ଟ୍ରର ହିତ କରିବାକୁ କୁହା ଯାଇଛି l କାମନାର ବିନାସରେ ଦୁଃଖର ବିନାଶ କରିବାକୁ କୁହା ଯାଇଛି l ଏଣୁ ଛାତ୍ର ଛାତ୍ରୀ ଏବଂ ସମସ୍ତ ସମାଜ ଏକାଠି ହୋଇ ଦୁର୍ନୀତି ବିରୋଧରେ ବ୍ୟାପକ ଜନସଚେତନତା ଆଣିବାକୁ ମଧ୍ୟ ମୁଖ୍ୟ ଅତିଥି ଆହ୍ଵାନ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଆମ ସମାଜ ଓ ଭାରତ ବର୍ଷକୁ ସମୃଦ୍ଧ କରି ବିଶ୍ୱରେ ଭାରତକୁ ଭୁ ସ୍ଵର୍ଗରେ ପରିଣତ କରିବାକୁ ସମସ୍ତେ ଆଗେଇ ଆସିବାକୁ ପ୍ରେରଣା ଦେଇଥିଲେ l ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ କହିଲେ ପ୍ରତ୍ୟେକ ନାଗରିକଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଉଚିତ୍, ଲାଞ୍ଚ ନେବା ଓ ଦେବା ଦଣ୍ଡନୀୟ ଅପରାଧ ବୋଲି ପ୍ରତ୍ୟେକ ସ୍ତରରେ ବୁଝିବା ଦରକାର l ଦୁର୍ନୀତିର ମୂଳୋତ୍ପାଟନ କରିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ମାନସିକତାରେ ସାମ୍ବିଧାନିକ ଆଇନ ଅନୁଯାୟୀ ଦୈନନ୍ଦିନ କାର୍ଯ୍ୟ କଲେ ତାହା ସମ୍ଭବ ହୋଇ ପାରିବ ବୋଲି କହିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି ଯୋଗଦେଇ କହିଲେ ଦୁର୍ନୀତି ଏକ ସମ୍ପୂର୍ଣ୍ଣ କୁ ମାନସିକତା, ଏଣୁ ପ୍ରତ୍ୟେକ ସମାଜ ଏହି କୁ ମାନସିକତା ରୁ ନିବୃତ ରହିଲେ ସମାଜ ଓ ରାଷ୍ଟ୍ର ବିକଶିତ ହେବ ବୋଲି ବକ୍ତବ୍ୟ ରଖିଥିଲେ l ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଶୁଭେନ୍ଦୁ ମହାନ୍ତି ଯୋଗ ଦେଇ କହିଲେ ସମାଜରେ ପାଖାପାଖି ଶତକଡା ଦଶ ଭାଗ ଦୁର୍ନୀତି ଲୋକମାନଙ୍କ ପାଇଁ ଅବଶିଷ୍ଟ ୯୦ ଭାଗ ଜନ ସାଧାରଣ ହଇରାଣ ହେଉଛନ୍ତି l ଦୁର୍ନୀତିକୁ ରୋକିବାକୁ ହେଲେ ପ୍ରାଥମିକ ସ୍ତରରୁ ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କାର କରିବା, ଆଚାର ଉଚ୍ଚାରଣରେ ସନ୍ତୁଳନ ରଖିବା ପିତା, ମାତା ଏବଂ ଶିକ୍ଷକ ପ୍ରଥମ ଗୁରୁ ଭାବେ ଦାୟିତ୍ଵ ନିର୍ବାହ କରନ୍ତି l ସେହିପରି ପ୍ରତ୍ୟେକ ବ୍ୟକ୍ତି ଲୋଭରୁ ନିବୃତ ରହି କାର୍ଯ୍ୟ ସମ୍ପାଦନ କଲେ , ଦୁର୍ନୀତି ଖୋର୍ ବ୍ୟକ୍ତିଙ୍କୁ ସାମ୍ବିଧାନିକ ଅନୂପାଳନ ଲାଗୁ କରିବା ଏବଂ ବ୍ୟାପକ ଜନ ଜାଗରଣ ହେଲେ ସମାଜରେ ସ୍ୱଚ୍ଛତା ଆସିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ସେ ଆହୁରି କହିଥିଲେ ଦୃଢ଼ ମାନସିକତା ଏବଂ ସମସ୍ତେ ଏକାଠି ହୋଇ ସାଧୁତା ସଚ୍ଚୋଟତା ଓ ସତ୍ୟନିଷ୍ଠ କର୍ତ୍ତବ୍ୟ ସମ୍ପାଦନ କଲେ ଆମର ସମୃଦ୍ଧି ଅନିର୍ବାର୍ଯ୍ୟ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ଦିବସ ପାଳନ ଅବସରରେମୁଖ୍ୟ ଅତିଥି ନାଗରିକଙ୍କ ପାଇଁ ସାଧୁତା ର ଶପଥ ପାଠ କରାଇଥିଲେ l ଦିବସ ଅବସରରେସାଧୁତା ରୁ ସମୃଦ୍ଧି ବିଷୟ ଉପରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର ଓଡ଼ିଆରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀ ଯଥାକ୍ରମେ ଆଦ୍ୟାଶା ମିଶ୍ର, ମୈଥିଲୀ ନାୟକ ଓ ଜୟଦେବ ପ୍ରଧାନ ଏବଂ ଇଂରାଜୀ ବିଭାଗରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶୁଭଶ୍ରୀ ନାୟକ, ଶାଇ ଦର୍ଶନ ଏବଂ ସାଗର ନନ୍ଦିନୀଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ବୃନ୍ଦ ଓ ମୁଖ୍ୟ ବକ୍ତା ସାର୍ଟିଫିକେଟ ଓ ମାନପତ୍ର ପ୍ରଦାନ କରିଥିଲେ l ସଭା ପରିଚାଳନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସମ୍ପାଦନ କରିଥିବା ବେଳେ, ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ ବ୍ରଜ କିଶୋର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ , ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ,ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ସଦସ୍ୟା ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ