
ନୂଆଦିଲ୍ଲୀ, ୩୦ ଅକ୍ଟୋବର (ହି.ସ.) : ବିହାରର ମୁଜାଫରପୁରରେ ଏକେ-47ରାଇଫଲ ଚୋରା ଚାଲାଣ ସହ ଜଡ଼ିତ ମାମଲାରେ ଫେରାର ଥିବା ଅଭିଯୁକ୍ତ ସନ୍ଦୀପ କୁମାର ସିହ୍ନାଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଅକ୍ଟୋବର ୨୯ ତାରିଖ ରାତିରେ ବୈଶାଳୀ ଜିଲ୍ଲାର ଟାଉନ ଥାନା ଅଞ୍ଚଳରୁ ତାଙ୍କୁ ଧରାଯାଇଛି। ତାଙ୍କ ନିକଟରୁ ଏକ ନେକ୍ସନ କାର୍, ମୋବାଇଲ ଫୋନ୍, ସିମ୍ କାର୍ଡ ଏବଂ ମେମୋରି କାର୍ଡ ଜବତ କରାଯାଇଛି।
ଏନଆଇଏଅନୁଯାୟୀ, ସନ୍ଦୀପ ଅନ୍ୟ ଅଭିଯୁକ୍ତମାନଙ୍କ ସହ ମିଶି ନାଗାଲାଣ୍ଡରୁ ବିହାରକୁ ନିଷିଦ୍ଧ ବୋର୍ର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବିଶେଷକରି ଏକେ-47ରାଇଫଲ ଚୋରା ଚାଲାଣ ପାଇଁ ଷଡ଼ଯନ୍ତ୍ର କରିଥିଲେ। ସାର୍ବଜନୀନ ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାହତ କରିବା ସହ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଏହି ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଥିଲା ବୋଲି ତଦନ୍ତକାରୀ ସଂସ୍ଥା କହିଛି।
୨୦୨୪ ମେ ୭ ତାରିଖରେ ମୁଜାଫରପୁରର ଫକୁଲି ଥାନାରେ ରୁଜୁ ହୋଇଥିବା ଏତଲା ଆଧାରରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଫକୁଲି ଥାନା ଅଞ୍ଚଳର ମୁର୍ଗଠିଆ ପୋଲ ନିକଟରୁ ପୋଲିସ ଏକ ଏକେ-47ରାଇଫଲ, ଗୋଟିଏ ଲେନ୍ସ ଏବଂ ଜୀବନ୍ତ ଗୁଳି ଜବତ କରିଥିଲା। ଏହି ମାମଲାରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ସମ୍ପୃକ୍ତ ଚାରି ଜଣଙ୍କୁ ଗିରଫ କରାଯାଇଥିଲା। ୨୦୨୪ ଅଗଷ୍ଟ ୫ ତାରିଖରେ ଏନଆଇଏଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା।ତଦନ୍ତ ପରେ ସଂସ୍ଥା ପ୍ରଥମ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ରେ ବିକାଶ କୁମାର, ସତ୍ୟମ କୁମାର, ଦେବମଣି ରାୟ ଏବଂ ଅହମ୍ମଦ ଅନସାରୀଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଏବଂ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନର ବିଭିନ୍ନ ଧାରାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ମଞ୍ଜୁର ଖାନ୍ଙ୍କ ବିରୋଧରେ ଏବଂ ତୃତୀୟ ଚାର୍ଜସିଟ୍ କୁନ୍ଦନ କୁମାର ଓରଫ କୁନ୍ଦନ ଭଗତଙ୍କ ବିରୋଧରେ ଦାଖଲ ହୋଇଥିଲା। ଏଥିରେ ଅସ୍ତ୍ରଶସ୍ତ୍ର ଆଇନ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଆଇନର ଧାରା ମଧ୍ୟ ଲାଗୁ କରାଯାଇଛି।
ଏହା ପୂର୍ବରୁ ଏନଆଇଏଅଗଷ୍ଟ ୧୯ ତାରିଖରେ ଭୈରବ ତ୍ରିପାଠୀ ଏବଂ ଅଗଷ୍ଟ ୨୨ ତାରିଖରେ କରମୁଲ୍ଲାଙ୍କୁ ଗିରଫ କରିଥିଲା। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ