
କେନ୍ଦ୍ରାପଡ଼ା, ୩୦ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡ଼ା ସହରର ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସାରା ଜିଲ୍ଲାରେ ଉତ୍ସବର ମାହୋଲ ଲାଗିରହିଛି। ଏହି ଅବସରରେ ଲୋକପ୍ରିୟ ବିଜେପି ନେତ୍ରୀ ସୁଜାତା ବାରିକ ସହରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିବା ସହ ମା’ ଗଜଲକ୍ଷ୍ମୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।
ସୂଚନା ଅନୁଯାୟୀ, ନେତ୍ରୀ ଶ୍ରୀମତୀ ବାରିକ ତିନିମୁହାଣୀ, ଦୁହୁରିଆ, ଗରାପୁର, ପୁରୁଣା ବସଷ୍ଟାଣ୍ଡ ଭଳି ପ୍ରମୁଖ ସ୍ଥାନ ସମେତ ସହର ତଥା ଆଖପାଖ ଅଞ୍ଚଳର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପ ବୁଲି ଦେଖିଥିଲେ। ପ୍ରତ୍ୟେକ ମଣ୍ଡପରେ ପହଞ୍ଚି ସେ ମା’ ଧନଦାତ୍ରୀଙ୍କ ନିକଟରେ ଧୂପ, ଦୀପ ଦେଇ ସମଗ୍ର କେନ୍ଦ୍ରାପଡ଼ାବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ଏଥିସହିତ ପୂଜା କମିଟିର ସଦସ୍ୟ ଏବଂ ସ୍ଥାନୀୟ କର୍ମକର୍ତ୍ତାମାନଙ୍କ ସହ ସାକ୍ଷାତ କରି ଶାନ୍ତିଶୃଙ୍ଖଳାର ସହ ପର୍ବ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ମଣ୍ଡପଗୁଡ଼ିକର ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା ଓ ଶାନ୍ତ ପରିବେଶକୁ ସେ ଉଚ୍ଚ ପ୍ରଶଂସା କରିବା ସହ ଶ୍ରଦ୍ଧାଳୁ ତଥା ଦର୍ଶକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ତାଙ୍କ ସହିତ ଦଳୀୟ କର୍ମୀ ତଥା ସ୍ଥାନୀୟ ନେତୃବୃନ୍ଦ ପିଣ୍ଟୁ ମହାନ୍ତି, ସୋମନାଥ ବାରିକ, ଗୌତମ ବିଶ୍ୱାଳ, ଗଦାଧର ବାରିକ, ପ୍ରଭାତ ଦାସ, ଶୁଭମ ପ୍ରିତମ ସ୍ୱାଇଁ, ଅବିନାଶ ପଲେଇ, ଶୁଭମ ରାଉତ ଏବଂ ଅମିତ ରାଉତ ପ୍ରମୁଖ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୂଜା କମିଟି ଓ କର୍ମକର୍ତ୍ତାମାନେ ବିଜେପି ନେତ୍ରୀ ତଥା ତାଙ୍କ ସହଯୋଗୀମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କେନ୍ଦ୍ରାପଡ଼ାର ଏହି ଐତିହାସିକ ଗଣପର୍ବ ଭାଇଚାରା ଓ ଏକତାର ପ୍ରତୀକ ବୋଲି ଶ୍ରୀମତୀ ବାରିକ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରବି